ନୂଆଦିଲ୍ଲୀ: କରୋନା କ୍ରମେ ତାର ରୂପ ବଦଳାଇ ଚାଲିଛି ଓ ସଂକ୍ରମଣ କରି ସାରା ମାନବ ଜାତିକୁ କରାୟତ କରୁଛି । ବିଶ୍ଵ ସାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏ ସମୟରେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି ଓ କହିଛି ଆଗାମୀ ଦିନରେ ଆହୁରି ଭୟଙ୍କର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ । ଲକଡାଉନ ନିୟମ ସାଙ୍ଗରେ ଯାବତୀୟ କଟକଣାକୁ ଯଦି ସବୁ ଦେଶ ଉଚିତ ପାଳନ ନ କରନ୍ତି ତେବେ ପରିସ୍ଥିତି ସାଂଘାତିକ ହେବ ।
ସୂଚନା ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଲା । ଗତ ୨୪ ଘଣ୍ଟା ଭିତରେ ୨୮ ହଜାର ୪୯୮ ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଦେଶରେ ସମୁଦାୟ କରୋନା ମାମଲା ୯ ଲକ୍ଷ ୬ ହଜାର ୭୫୨ । ଗୋଟାଏ ଦିନରେ ୫୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୩ ହଜାର ୭୨୭ କୁ ବୃଦ୍ଧି ପାଇଛି ।
ରାଜ୍ୟରେ ମଧ୍ୟ ସମ ଦଶା । ଆଜିରେ ଆଉ ୫୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩ ଗୋଟି ଜିଲ୍ଲାରୁ ୫୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ମାମଲା ୫୪୩ ଭିତରୁ ୩୫୪ ଟା କ୍ୱାରେଣ୍ଟିନ୍ ସେଣ୍ଟରରୁ ହୋଇଥିବାବେଳେ ୧୮୯ ଟା ରହିଛି ଲୋକାଲ କଣ୍ଟାକ୍ଟ ।
ବିଶ୍ଵସ୍ତରରେ ଏଯାବତ୍ ୧ କୋଟି ୩୨ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ୫ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।
ଅନ୍ୟପକ୍ଷରେ କରୋନା ଟିକାକୁ ନେଇ ମଧ୍ୟ ଆଶା ବଢୁଛି । ରୁଷର ସେଚେନୋଭ୍ ବିଶ୍ୱବିଦ୍ୟାଳୟର ଦାବି ଅନୁସାରେ ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଛି ଏବଂ ତାହା ମଣିଷ ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ କରାଯାଇଛି ।