କୋରୋନା ମହାମାରୀ ଭିତରେ ଯେକୌଣସି ସମୟରେ ଆରମ୍ଭ ହୋଇଯାଇପାରେ ତୃତୀୟ ବିଶ୍ୱଯୁଦ୍ଧ । କାରଣ ୪ ଟି ଦେଶ ମଧ୍ୟରେ ଚାଲିଛି ବିବାଦ । ସବୁଠୁ ବଡ଼ ଯୁଦ୍ଧ କ୍ଷେତ୍ର ଋଷର ନିକଟବର୍ତ୍ତୀ ଦେଶ ଆର୍ମେନିଆ ଓ ଆଜେରବାଇଜାନ ପରସ୍ପରକୁ ଧ୍ୱଂସ କରିବାରେ ଲାଗି ପଡ଼ିଛନ୍ତି । ଯୁଦ୍ଧ ପାଇଁ ଦୁଇଟି ଯାକ ଦେଶ କ୍ଷେପଣାସ୍ତ୍ର, ତୋପ, ଟ୍ୟାଙ୍କ ଆଦି ବ୍ୟବହାର କରୁଛନ୍ତି । ମୁସଲିମ ସଂଖ୍ୟାଗରିଷ୍ଠ ଆଜେରବାଇଜାନ ଆର୍ମେନିଆ ଉପରେ ଡ୍ରୋନ୍ ଆକ୍ରମଣ ବି ଆରମ୍ଭ କରିଦେଇଛି ।
କେବଳ ସେତିକି ନୁହେଁ । ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ବିଶ୍ଵର ଅନ୍ୟ କେତେଟା ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ସୀମା ବିବାଦକୁ ନେଇ ଭାରତ-ଚୀନ ହେଉ କି ସାଉଦି ଆରବ ଓ ଇରାନ । ତେଣେ ପାକିସ୍ତାନ ଓ ତୁର୍କୀର ଷଡ଼ଯନ୍ତ୍ର ବିରୋଧରେ ଋଷ ପଦକ୍ଷେପ ନେଇପାରେ । ଏହାସହିତ ଚାଇନା ଓ ତାଇୱାନ ମଧ୍ୟରେ ବିବାଦ ବି ଉତ୍ତେଜନାର ରୂପେ ନେଲାଣି ।

ସୂଚନା ଅନୁଯାୟୀ ସାଉଦି ଆରବ ଇରାନର ୧୦ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି, ଫଳରେ ଦୁଇ ଦେଶ ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରିପାରନ୍ତି । ଅନ୍ୟପକ୍ଷରେ ଲଦାଖରେ ଭାରତ ଓ ଚୀନ ଭିତର ତିକ୍ତତା କମିବା ଭଳି ମନେ ହେଉନାହିଁ । ଚୀନ ଲଦାଖ ଉପରେ ଦେଇଥିବା ବୟାନ ବିବାଦୀୟ ଯାହା ତିକ୍ତତାକୁ ବରଂ ଆହୁରି ବଢାଇବ । ହୁଏତ LAC ରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବଢିବ ।
ଆର୍ମେନିଆ ଓ ଆଜେରବାଇଜାନ ଯୁଦ୍ଧରେ ଯଦି ପଡ଼ୋଶୀ ଦେଶ ଋଷ ଏବଂ ତୁର୍କୀ ସାମିଲ ହୁଅନ୍ତି ତେବେ ବିପଦ ବଢିବ । ଗୋଟିଏ ପଟେ ତୁର୍କୀ ଆଜେରବାଇଜାନକୁ ସମର୍ଥନ କରିବାକୁ ଘୋଷଣା କରିସାରିଛି । ଋଷ ଯଦି ଆର୍ମେନିଆକୁ ସମର୍ଥନ କରେ ତେବେ ସ୍ଥିତି ଭୟଙ୍କର ହେବ । ତେବେ ଆର୍ମେନିଆର କ୍ଷେପଣାସ୍ତ୍ର ଆକ୍ରମଣରେ ଆଜେରବାଇଜାନର ଅନେକ ଟ୍ୟାଙ୍କ ଧ୍ୱଂସ ହୋଇଯାଇଥିବାବେଳେ ଆର୍ମେନିଆ ବିରୋଧରେ ଆଜେରବାଇଜାନ ଡ୍ରୋନ୍ ଯୁଦ୍ଧ ଆରମ୍ଭ କରିଛି । ଡ୍ରୋନ୍ ମାଧ୍ୟମରେ ଆର୍ମେନିଆର ଟ୍ୟାଙ୍କଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛି ଆଜେରବାଇଜାନ ।