ଔଷଧ କିଣିଲେ, ଦୋକାନ ସାମ୍ନାରେ ଟଳିପଡ଼ିଲେ ଏବଂ ୬ ଘଣ୍ଟା ପରେ ଶବ ପାଲଟିଗଲେ : ସତରେ କ’ଣ କରୋନା ମାରିଚାଲିଛି ମାନବିକତା !

ବିହାରର ଭାଗଲପୁରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଆସ୍ଥମା ପମ୍ପ କିଣିବା ପାଇଁ ଔଷଧ ଦୋକାନକୁ ଆସିଥିଲେ । ପମ୍ପ କିଣିସାରି ଫେରୁଥିଲେ ଦୋକାନ ଆଗରେ ହିଁ ଟଳି ପଡ଼ିଲେ । ବ୍ୟକ୍ତି ଜଣଙ୍କ ତଳେ ପଡ଼ି ଛଟପଟ ହେଉଥିଲେ ବି କେହି ସହଯୋଗ କରିବାକୁ ଆଗକୁ ଆସିଲେ ନାହିଁ । କରୋନା ରୋଗୀ ଭାବି କେହି ଛୁଇଁଲେ ନାହିଁ । କିଛି ସମୟ ଛଟପଟ ହେଇ ଶେଷରେ ସେହିଠାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।

ଏ ଘଟଣା ସ୍ପଷ୍ଟ ଚିତ୍ରଣ କରୁଛି ଯେ କରୋନାର ଭୟ ମଣିଷ ଭିତରୁ ମଣିଷପଣିଆ ମାରି ଚାଲିଛି । ନହେଲେ ବ୍ୟକ୍ତି ଜଣଙ୍କ ଦୀର୍ଘ ୬ ଘଣ୍ଟା ଧରି ଛଟପଟ ହେଇଥାନ୍ତେ ନା ଏମିତି ପ୍ରାଣତ୍ୟାଗ କରିଥାନ୍ତେ ! ହୃଦୟ ବିଦାରକ ତ ସେତେବେଳେ ଯେବେ ଆମ୍ବୁଲାନ୍ସ ଆସି ତାଙ୍କୁ ହସ୍ପିଟାଲ ନେଲାବେଳକୁ ସେ ଦୁନିଆ ଛାଡ଼ି ସାରିଥିଲେ । ତେବେ ବ୍ୟକ୍ତି ଜଣଙ୍କ ତଳେ ପଡ଼ିବା କ୍ଷଣି ପ୍ରାଣ ହରାଇଥିଲେ ନା କିଛି ସମୟ ପରେ ତାହା ଏବେ ପ୍ରମାଣିତ ହୋଇନି ।

ଗୁରତ୍ୱପୂର୍ଣ୍ଣ କଥା ହେଉଛି ଯେ ସ୍ଥାନୀୟ ଲୋକେ ବ୍ୟକ୍ତି ଜଣଙ୍କ ଟଳିପଡ଼ିବା କ୍ଷଣି ପ୍ରଶାସନ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପ୍ରଥମେ ଗୋଟିଏ ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ସେମାନଙ୍କ ପାଖରେ ପିପିଇ କିଟ୍‌ ନଥିବାରୁ ବ୍ୟକ୍ତି ଜଣଙ୍କୁ ଛୁଇଁଲେ ବି ନାହିଁ । ଦୀର୍ଘ ୬ ଘଣ୍ଟା କାଳ ବ୍ୟକ୍ତି ଜଣଙ୍କ ଦୋକାନ ସାମ୍ନାରେ ସେଇମିତି ନିସ୍ତେଜ ହୋଇପଡ଼ି ରହିଥିଲେ । ଦୋକାନୀ ଜଣଙ୍କ ଏସପି, ଡିଏମ ଭାଗଲପୁର ପୋଲିସ ଷ୍ଟେସନ ତଥା କୋଭିଡ୍‌ କେୟାର ହେଲପ ଲାଇନକୁ ଫୋନ କରିଥିଲେ ସୁଦ୍ଧା ସେଠାରୁ କୌଣସି ଉତ୍ତର ମିଳି ନଥିଲା ଯାହା ମାନବଜାତି ପ୍ରତି ପ୍ରଶ୍ନ ଉଠାଇଛି ।  

ଦୀର୍ଘ ୬ ଘଣ୍ଟା ପରେ ମ୍ୟୁନିସପାଲ କର୍ପୋରେସନ ସାନିଟାଇଜର କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଦେଇ ପିପିଇ କିଟ୍‌ ପିନ୍ଧେଇ ପଠାଇଥିଲା ଯେଉଁମାନେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *