ବିହାର ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ପାଇଁ ରାଲି ଚାଲିଛି । ମଙ୍ଗଳବାର ଦିନ ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହରଲାଖୀ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଲେ ତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା ବିରୋଧର । ରାଲିରେ ସମ୍ବୋଧିତ କରୁଥିବା ସମୟରେ ନିତୀଶଙ୍କ ଉପରକୁ ଫିଙ୍ଗା ହୋଇଥିଲା ପିଆଜ ଓ ପଥର ଖଣ୍ଡ ।
ପଥର ଫିଙ୍ଗୁଥିବା ବ୍ୟକ୍ତି ସ୍ଲୋଗାନ ଦେଇ ଚିତ୍କାର କରି କହିଥିଲେ ଯେ ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି, ଚୋରା ଚାଲାଣ ଚାଲିଛି ହେଲେ ଆପଣ କିଛି କରିବାକୁ ସକ୍ଷମ ନୁହଁନ୍ତି । ସେହି ଏହି ସମୟରେ ନିତୀଶ କୁମାରଙ୍କ ସୁରକ୍ଷାକର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ନିତୀଶ ଉତ୍ତର ରଖିଲେ ଯେ ଫିଙ୍ଗିବାକୁ ଦିଆଯାଉ ଯେତିକି ସେ ଫିଙ୍ଗିବାକୁ ଚାହୁଁଛନ୍ତି ।

ସୂଚନାଯୋଗ୍ୟ ଯେ ଏଥର ନିର୍ବାଚନ ପ୍ରଚାର ସମୟରେ ନିତୀଶ କୁମାର ଅନେକ ଥର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଅନେକ ରାଲିରେ ନିତୀଶ କୁମାରଙ୍କ ସମ୍ମୁଖରେ ତାଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିବାବେଳେ ନିତୀଶ କହିଥିବା ଦେଖିବାକୁ ମିଳିଛି ଯେ ଯାହା ନାଁରେ ଜିନ୍ଦାବାଦ ନାରା ଦେଉଛ ତାଙ୍କୁ ହିଁ ଶୁଣିବାକୁ ଯାଅ, ଏଠାରେ କଣ କରୁଛ ?