“ଇଚ୍ଛାଶକ୍ତି ସାମ୍ନାରେ ସବୁ ବାଧା ହାର୍ ମାନେ” ଏ କଥାକୁ ପ୍ରମାଣ କରିଛନ୍ତି ଛତିଶଗଡ଼ର ଗୋକରନ ପାଟିଲ । ଜନ୍ମରୁ ଗୋକରନଙ୍କ ଦୁଇଟାଯାକ ହାତ ନାହିଁ ହେଲେ ପିଲାବେଳୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଭଲପାଇବା ରହିଛି । ହାତ ସିନା ନାହିଁ, ସ୍ଵପ୍ନ ତ ଅଛି ! ସ୍ଵପ୍ନକୁ କେବଳ ବଞ୍ଚେଇ ରଖିନାହାନ୍ତି ସେ ବରଂ ସେଥିରେ ଡେଣା ଖଞ୍ଜିଛନ୍ତି ଯିଏ ଉଡ଼ାଣ ଦେଲାଣି ଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ସୋସିଆଲ ମିଡ଼ିଆରେ ଭାଇରାଲ ହେଲାଣି ।
ହାତ ନଥାଇ ବି ଗୋକରନ ଏଭଳି ଚିତ୍ର ଆଙ୍କୁଛନ୍ତି ଯେ ଯେକେହି ପ୍ରଶଂସା ନକରି ରହିପାରିବନି । ଗୋକରନ ପାଦ ଦ୍ୱାରା ଚିତ୍ର ଆଙ୍କନ୍ତି । ଆଇଏଏସ୍ ଅଧିକାରୀ ପ୍ରିୟଙ୍କା ଶୁକ୍ଲା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଗୋକରନ ପାଟିଲଙ୍କ ସମ୍ପୂର୍ଣ୍ଣ କାହାଣୀ ସେୟାର କରିବା ସହିତ ତାଙ୍କ ଚିତ୍ରଗୁଡ଼ିକୁ ମଧ୍ୟ ଭିଡ଼ିଓ ମାଧ୍ୟମରେ ଶେୟାର କରିଛନ୍ତି ।
ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଗୋକରନ ପାଟିଲ ବୁଦ୍ଧ ଦେବଙ୍କ ଚିତ୍ର ଆଙ୍କୁଛନ୍ତି । କେବଳ ହାତ କାହିଁକି ଭଗବାନ ତାଙ୍କୁ ଶ୍ରବଣ ଶକ୍ତିରେ ବି ଅଭାବୀ ରଖିଛନ୍ତି । ସେ ଜନ୍ମରୁ ଠିକ୍ ରୂପେ ଶୁଣିପାରନ୍ତି ନାହିଁ । ହେଲେ ନିଜ ପରିଶ୍ରମ ଓ ଇଚ୍ଛାଶକ୍ତି ମାଧ୍ୟମରେ ସେ ନିଜ ପାଇଁ ହାସଲ କରିପାରିଛନ୍ତି ଏକ ଭିନ୍ନ ପରିଚୟ, ସମାଜରେ ଏକ ଭିନ୍ନ ସ୍ଥାନ ।
ଏହି ଭାଇରାଲ ଭିଡ଼ିଓକୁ ଏଜବତ୍ ୩୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ଓ ୪୦୦ ରୁ ଅଧିକ ରି-ଟ୍ୱିଟ୍ କରିସାରିଲେଣି । ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି ଯେ ଗୋକରନ ପାଟିଲଙ୍କ ଚିତ୍ର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ।
ଗୋକରନ ଜଣେ ଉଚ୍ଚକୋଟୀର ଚିତ୍ରକର ସହିତ କମ୍ପ୍ୟୁଟର ବ୍ୟବହାରରେ ମଧ୍ୟ ଉସ୍ତାଦ୍ । ଫାଇନ୍ ଆର୍ଟସ୍ରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଥିବାବେଳେ ମୁଖ୍ୟତଃ ପରମ୍ପରା ଓ ସଂସ୍କୃତି ଆଧାରିତ ଚିତ୍ର ଆଙ୍କିବାକୁ ସେ ପସନ୍ଦ କରିଥାନ୍ତି । ଛତିଶଗଡ଼ରେ ଆୟୋଜିତ ଅନେକ ପ୍ରତିଯୋଗିତାରେ ଭାଗ ନେଇ ସେ କେତେଗୁଡ଼ିଏ ପୁରସ୍କାର ମଧ୍ୟ ଜିତିଛନ୍ତି ।