ପ୍ରାୟ ଏକ ବର୍ଷ ପରେ ବି ସାରା ବିଶ୍ୱ କରୋନା ମହାମାରୀରେ କବଳିତ । ଏମିତିକି ଏବେ ପୁଣିଥରେ ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ତେବେ ‘ଗାୟତ୍ରୀ ମନ୍ତ୍ର’ ନେଇ ଗବେଷଣା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଉତ୍ତରାଖଣ୍ଡ-ହରିଦ୍ୱାର ସ୍ଥିତ ଏମ୍ସ ଋଷିକେଶରେ ଏନେଇ ଗବେଷଣା କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ଏବଂ ୪୦ ଜଣ କରୋନା ସଂକ୍ରମିତଙ୍କୁ ଏଥିପାଇଁ ଚିହ୍ନଟ କରିବାକୁ କୁହାଯାଇଛି ।
ତେବେ ଏହି ନୂଆ ଗବେଷଣା ପାଇଁ ଚିହ୍ନଟ କରାଯାଇଥିବା ଏହି ୪୦ ଜଣ କରୋନା ଆକ୍ରାନ୍ତଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି । ୨୦ ଜଣ ଲେଖାଏଁ ସଦସ୍ୟକୁ ନେଇ ଗଢା ହୋଇଥିବା ଦଳ ‘ଏ’ ସଦସ୍ୟମାନେ ସାଧାରଣ ଚିକିତ୍ସା ସହିତ ‘ଗାୟତ୍ରୀ ମନ୍ତ୍ର’ ଜପିବେ । ଏହାସହିତ ସକାଳେ ଓ ସଞ୍ଜେ ଘଣ୍ଟାଏ ଲେଖାଁଏ ପ୍ରାଣାୟମ କରିବେ । ଅନ୍ୟପକ୍ଷରେ ‘ବି’ ଦଳର ସଦସ୍ୟଙ୍କୁ କୋଭିଡ଼ ଚିକିତ୍ସା କରାଯିବ ଯେଉଁମାନେ ଆଦୌ କୌଣସି ପ୍ରାଣାୟମ କରିବେ ନାହିଁ କି ଗାୟତ୍ରୀ ମନ୍ତ୍ର ଜପିବେ ନାହିଁ ।

ଏ ପ୍ରକ୍ରିୟାର ମାତ୍ର ୧୪ ଦିନ ପରେ ଉଭୟ ଦଳର ମେଡ଼ିକାଲ ରିପୋର୍ଟ ସଂଗ୍ରହ କରାଯିବ ଏବଂ ରିପୋର୍ଟକୁ ତର୍ଜମା କରାଯିବ । ଏହି ଗବେଷଣା ‘ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି’ ଏମ୍ସ ଜରିଆରେ କରାଯାଉଛି । ଏମ୍ସର ପ୍ରିନସିପାଲ ତଥା ଏମ୍ସ ଋଷିକେଶର ପଲମ୍ୟୁନାରୀ ମେଡିସିନର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରୁଚି ଦୁଆଙ୍କ ତତ୍ତ୍ଵାବଧାନରେ ଏହି ଗବେଷଣା ହେବ । ଉକ୍ତ ପ୍ରୋଜେକ୍ଟ ଫେବୃୟାରୀ ୫ ତାରିଖ ଦିନ ପଞ୍ଜିକରଣ ହୋଇଥିଲା । ତେବେ ପ୍ରୟୋଗରେ ଭାଗ ନେଇଥିବା ସଂକ୍ରମିତମାନେ ହସ୍ପିଟାଲ, ଘରେ କିମ୍ୱା ଏମ୍ସ ଋଷିକେଶରେ ରହି ପାରିବେ । ଯେଉଁମାନେ ଗାୟତ୍ରୀ ମନ୍ତ୍ର ଜପିବେ ତଥା ପ୍ରାଣାୟମ କରିବେ ସେମାନେ ଭିଡ଼ିଓ କନଫେରନସିଂ ମାଧ୍ୟମରେ ଯୋଡ଼ି ହେବେ ବୋଲି ବ୍ୟବସ୍ଥା ମଧ୍ୟ ହୋଇଛି ।
ସୂଚନାଥାଉ ଯେ SARS-COV2 ଏମିତି ଏକ ଭାଇରସ ଯାହା ପ୍ରଥମେ ମଣିଷ ଶରୀରର ଶ୍ୱାସନଳୀକୁ ଟାର୍ଗେଟ କରେ । ଏବେଳେ ଗାୟତ୍ରୀ ମନ୍ତ୍ର ପୂର୍ବରୁ ଅନେକ ରୋଗରୁ ମୁକ୍ତି ପାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏବେ ଏହା କରୋନା ବିପକ୍ଷରେ କେତେ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ।