ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସୋନିଆ ଗାନ୍ଧି କହିଥିଲେ ” ଆଇ ଆମ୍ ସରି ଅମରିନ୍ଦର” , ଜାଣନ୍ତୁ କାହିଁକି…

ସଂସ୍କାର : ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟା ୫ ଟା ସମୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ତାଙ୍କୁ ନେଇ ରାଜ୍ୟର ଆଉ ଏକ କଂଗ୍ରେସ ଗୋଷ୍ଠି ଭିନ୍ନ ଚିନ୍ତା କରୁଥିବାରୁ ସେ ସଂଗେ ସଂଗେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବାର କାରଣ କହିଥିଲେ ଯେ, ଗୋଟିଏ ମାସ ମଧ୍ୟରେ ତାଙ୍କୁ ନେଇ ୩ ଥର ରାଜ୍ୟରେ ବୈଠକ ବସିଥିଲା। ତେଣୁ ସେ ଅପମାନିତ ଅନୁଭବ କରିଥିଲେ। ସେହି କାରଣରୁ ସେ ନିଜର ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ।

ତେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହୋଇସାରିଛି। ଏହି ସମୟ ମଧ୍ୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। କ୍ୟାପଟେନ ଅମରିନ୍ଦର ଇସ୍ତଫା ଦେବା ପରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ କଡ଼ା ଆକ୍ରମଣ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ସମୟରେ ସେ ଦାବି କରିଛନ୍ତି ଯେ, ସେ ଯେତେବେଳେ ଇସ୍ତଫା ଦେବାକୁ କହିଥିଲେ, କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ ‘ମୁଁ ଭାରି ଦୁଃଖିତ ଅମରିନ୍ଦର’ (ଆଇ ଆମ୍ ସରି ଅମରିନ୍ଦର)। ସୂଚନା ଥାଉ ଯେ, ଅମରିନ୍ଦର ଇସ୍ତଫା ଦେବା ପୂର୍ବରୁ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଥିଲେ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ, ସୋନିଆ ଗାନ୍ଧୀ ମୋତେ ଶନିବାର ସକାଳେ ଫୋନ କରିଥିଲେ, ମୁଁ ସେତେବେଳେ ଅନ୍ୟ ଏକ ଫୋନ କଲରେ ବ୍ୟସ୍ତ ଥିଲି। ଫୋନରେ କଥା ସରିବା ପରେ ମୁଁ ଯେତେବେଳେ ପୁଣି ଫୋନକୁ ଦେଖିଲି, ସେତେବେଳେ ସୋନିଆ ଗାନ୍ଧୀଙ୍କର ମିସ୍ କଲ୍ ଦେଖିଲି। ଏହା ପରେ ମୁଁ , ମୋ ତରଫରୁ ସୋନିଆ ଗାନ୍ଧୀଙ୍କୁ କଲ୍ କଲି। ସେ ଫୋନ୍ ଉଠାଇଲେ, ମୁଁ ପଚାରିଲି ଏହି CLP ମୋ ସହିତ କ’ଣ କରୁଛନ୍ତି? ମୋତେ ନେଇ ସେମାନଙ୍କର ମନୋଭାବ କଣ? ଯଦି ମୋ ତରଫରୁ କିଛି ଭୁଲ ହୋଇଛି ତେବେ ସେ କ୍ଷେତ୍ରରେ ମୁଁ ଇସ୍ତଫା ଦେବି। ମୁଁ ଅନୁଭବ କରୁଛି ଯେ ମୁଁ ଇସ୍ତଫା ଦେବା ଉଚିତ୍। ଏହାର ଉତ୍ତରରେ ସୋନିଆ ଗାନ୍ଧୀ ମୋତେ କହିଥିଲେ ଯେ, ଠିକ ଅଛି, ଆପଣ ଇସ୍ତଫା ଦେଇ ପାରିବେ। ମୁଁ କହିଲି ଠିକ ଅଛି, ମୁଁ ଇସ୍ତଫା ଦେବି। ତା’ପରେ ସେ କହିଲେ ମୋତେ କ୍ଷମା କରିବେ ଅମରିନ୍ଦର। ମୁଁ ତାଙ୍କୁ କହିଲି ଠିକ୍ ଅଛି, ଇଟ୍ସି ଓକେ।

Leave a Reply

Your email address will not be published. Required fields are marked *