ସଂସ୍କାର : ଦକ୍ଷିଣ ଆଫ୍ରିକା ଓ ଉତ୍ତର ଆଫ୍ରିକାର କିଛି ଦେଶରେ କୋଭିଡ-୧୯ ନୂଆ ପ୍ରଜାତି B.1.1529 ବା (ଓମିକ୍ରନ) ଚିହ୍ନଟ ହେବା ପରେ ସାରା ବିଶ୍ବରେ ପୁଣି ମୁକାବିଲା ପାଇଁ ରଣନୀତି ଆରମ୍ଭ ହୋଇଯାଇଛି। ଯେଉଁ ସବୁ କ୍ଷେତ୍ରରେ ପୂର୍ବ କଟକଣା ସାମାନ୍ୟ କୋହଳ କରାଯାଇଥିଲା ଏବେ ସେ ସମସ୍ତ କ୍ଷେତ୍ରରେ ପୁଣି ଥରେ କଟକଣା କଡାକଡି କରିବା ସହ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର।
![](https://sanskarnetwork.in/odia/wp-content/uploads/2020/10/corona.jpg)
ଭାରତ ସରକାରଙ୍କର ଗୃହ ମନ୍ତ୍ରଣାଳୟ (ଏମଏଚଏ) ପୂର୍ବରୁ ଜାରି ହୋଇଥିବା କୋଭିଡ ଗାଇଡଲାଇନର ଅବଧିକୁ ବୃଦ୍ଧି କରିଛି। ପୂର୍ବରୁ ଜାରି ରହିଥିବା ସର୍ତ୍ତାବଳୀ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ପୂର୍ବ ଗାଇଡଲାଇନକୁ କଡାକଡି ଅନୁପାଳନ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ଦ୍ବାରା ଜାରି କରାଯାଇଥିବା ଏମଏଚଏ ନିର୍ଦ୍ଦେଶ ମନ୍ତ୍ରଣାଳୟର କଡା ନିୟମକୁ ନିଶ୍ଚିତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଚିଠିରେ ବିଭିନ୍ନ ସମ୍ବେଦନଶୀଳ କ୍ଷେତ୍ରକୁ ଦୃଷ୍ଟି ଦେବା ପାଇଁ ଉଲ୍ଲେଖ ରହିଛି। ଭାରତକୁ ଫେରୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ବିମାନବନ୍ଦରରେ ସେମାନଙ୍କ ପାଇଁ ସ୍କ୍ରିନିଂ, ଟେଷ୍ଟିଂ ଓ ଲକ୍ଷଣ ପ୍ରକାଶ ପାଇଲେ କ୍ବାରେଣ୍ଟାଇନ ବ୍ୟବସ୍ଥାକୁ ପ୍ରାଥମିକତା ଦେବାକୁ କୁହାଯାଇଛି । ସେହିପରି ଅନ୍ୟ ସମସ୍ତ ସ୍ଥାନରେ କୋଭିଡ ପ୍ରୋଟୋକଲ ଅନୁପାଳନ, ଭିଡ ଏଡାଇବା ସୁନିଶ୍ଚିତ କରିବା ନେଇ ମଧ୍ୟ ରାଜ୍ୟମାନେ କାର୍ଯ୍ୟ କରିବେ ବୋଲି କୁହାଯାଇଛି।