ଏହି ସବୁ ସେବା ଓ କାର୍ଯ୍ୟକଳାପ ଅପ୍ରେଲ ୨୦ ତାରିଖରୁ ଆରମ୍ଭ ହେବ : କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଅତ୍ୟାବଶ୍ୟକ ସେବା ଛଡ଼ା ସୋମବାର ଅପ୍ରେଲ ୨୦ ତାରିଖରୁ ଅନ୍ୟ କେଉଁ ସେବା ଏବଂ କାର୍ଯ୍ୟକଳାପକୁ ଅନୁମତି ଦିଆଯାଉଛି ସେ ବାବଦରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏକ ନୂତନ ତାଲିକା ପ୍ରକାଶ ପାଇଛି । ଏହି ରିହାତି ଦେଶର ସେହି ଅଞ୍ଚଳରେ ପ୍ରଯୁଜ୍ୟ ହେବ ଯେଉଁଠାରେ କରୋନାଭାଇରସର ପ୍ରଭାବ ଅଳ୍ପ, ସ୍ଥିତି ସ୍ଵାଭାବିକ ଥିବ ।

ଟୁଇଟ୍ କରି କେନ୍ଦ୍ର ଆଇନ ଏବଂ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ଯେ ଉକ୍ତ ତାଲିକାରେ ସ୍ୱାସ୍ଥ୍ୟସେବା, କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଏବଂ ପଶୁପାଳନ ଅନ୍ତର୍ଭୁକ୍ତ । ହେଲେ କଣ୍ଟେନମେଣ୍ଟ ଜୋନରେ ଏହି ସବୁ ସେବା ଆରମ୍ଭ କରିବାକୁ ଅନୁମତି ଦିଆଯିବ ନାହିଁ ।

ସୂଚନାଯୋଗ୍ୟ ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଗ୍ରୁପ୍ ଅଫ୍ ମନ୍ତ୍ରୀ (GoM) ର ଏକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୁହାଯାଇଥିଲା ଯେ ଲକଡାଉନ ସମୟରେ ଗୃହ ମନ୍ତ୍ରଣାଳୟ (MHA) ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ହିଁ ଯେକୌଣସି ରିହାତି କାର୍ଯ୍ୟକାରୀ ହେବ । କିନ୍ତୁ ରାଜ୍ୟ ସରକାରମାନେ ଏହି ନିୟମକୁ ନିଜ ହିସାବରେ ଆହୁରି କଡ଼ାକଡ଼ି କାର୍ଯ୍ୟକାରୀ କରିପାରିବେ ।

ସମବାୟ ଋଣ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ, ଜଳ ଯୋଗାଣ, ବିଦ୍ୟୁତ ଓ ଗ୍ରାମାଞ୍ଚଳରେ ଯୋଗାଯୋଗ ସହ ଜଡ଼ିତ ପ୍ରକଳ୍ପ ଏବଂ କାର୍ଯ୍ୟକଳାପଗୁଡ଼ିକୁ ସରକାର କୋହଳ କରିଛନ୍ତି । ଏହାବ୍ୟତୀତ ସରକାର ବାଉଁଶ, ନଡ଼ିଆ, ଗୁଆ, କୋକୋ ଗଛର ମଞ୍ଜି, ମସଲା ଚାଷ, ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ଫଳ ଏବଂ ପନିପରିବା, ସାନିଟାଇଜର ସାମଗ୍ରୀ ବିକ୍ରି କରୁଥିବା ଦୋକାନ, ଖାଦ୍ୟ ସାମଗ୍ରୀ ଏବଂ ରାସନ ଦୋକାନ, କ୍ଷୀର ଏବଂ କ୍ଷୀର ଦୋକାନ, କୁକୁଡ଼ା, ମାଂସ, ମାଛ ଏବଂ ଚାରା, ଇଲେକ୍ଟ୍ରିସିଆନ, ଆଇ.ଟି. (ସୂଚନା ପ୍ରଯୁକ୍ତିବିଦ୍ୟା) ମରାମତି, ପାଇପ୍ ମିସ୍ତ୍ରୀ, ମୋଟର ମେକାନିକ୍ସ, ବଢ଼େଇ, କୋରିଅର, DTH ଏବଂ କେବୁଲ୍ ସେବାଗୁଡ଼ିକ ନିର୍ଦ୍ଦିଷ୍ଟ ପ୍ରତିବନ୍ଧକ ସହିତ ଅନୁମତିପ୍ରାପ୍ତ ।

ଇ-କମର୍ସ କମ୍ପାନୀଗୁଡ଼ିକ ମଧ୍ୟ ଅପ୍ରେଲ ୨୦ରୁ ଆରମ୍ଭ ହେବାକୁ ଯାଉଛି ମାତ୍ର ବିତରଣ ବ୍ୟବସ୍ଥାରେ ନିୟୋଜିତ ବ୍ୟକ୍ତିଙ୍କ ଗାଡିର ପାସ୍ ରହିଥିବା ଦରକାର । ସେହିପରି ସରକାରୀ କାର୍ଯ୍ୟକଳାପ, ଆଇଟି ସହିତ କାର୍ଯ୍ୟାଳୟ ଏବଂ ଆନୁଷଙ୍ଗିକ ସେବା ପାଇଁ ଡାଟା ୱାର୍କ ଏବଂ କଲ୍ ସେଣ୍ଟରଗୁଡିକ ମଧ୍ୟ ଅନୁମୋଦିତ କରାଯାଇଛି । କିନ୍ତୁ ସର୍ତ୍ତ ହେଉଛି ଯେ ସେମାନଙ୍କ ପାଖରେ ୫୦ ପ୍ରତିଶତରୁ କମ କର୍ମଚାରୀ ରହିବେ ।

ଜାତୀୟ ରାଜପଥରେ ମଧ୍ୟ କାର୍ଯ୍ୟକଳାପ ବୃଦ୍ଧି ପାଇବ । ଟ୍ରକ ଚାଳକଙ୍କ ପାଇଁ ଗ୍ୟାରେଜ ଏବଂ ଢ଼ାବା ଆଦି ଖୋଲିବ । ସେହିପରି ଗାଁମାନଙ୍କରେ MNREGA କାମ, ଶୀତଳ ଭଣ୍ଡାର, ଗୋଦାମ ସେବା, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ କାମ, ଇଟା ଭାଟି ଆଦି ଉପରୁ ସରକାର କଟକଣା ହଟାଇଛନ୍ତି । ମାଛ ବ୍ୟବସାୟ ମଧ୍ୟ ଆରମ୍ଭ ହେବ । ମାଛର ରକ୍ଷଣାବେକ୍ଷଣ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ମାର୍କେଟିଂ ଏବଂ ବିକ୍ରୟ କେନ୍ଦ୍ର ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ଏଥିସହିତ ଅଣ୍ଡା ଦୋକାନ, ଅଣ୍ଡା ବ୍ୟବସାୟୀଙ୍କୁ ବ୍ୟବସାୟ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି । ରାସ୍ତା ନିର୍ମାଣ, ଜଳସେଚନ, ଗୃହ ନିର୍ମାଣ, ନବୀକରଣଯୋଗ୍ୟ ଶକ୍ତି ଏବଂ ସମସ୍ତ ପ୍ରକାର ଶିଳ୍ପ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *