ସଂସ୍କାର : କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫାର ୨୪ ଘଣ୍ଟା ପରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯାଇଛି। କଂଗ୍ରେସର ଦଳିତ ନେତା ଚରଣଜିତ ସିଂ ଚନ୍ନି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ। ପଞ୍ଜାବରେ କଂଗ୍ରେସ ଦଳର ଦାୟିତ୍ୱରେ ଥିବା ହରିଶ ରାୱତ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଚାନ୍ନି ରାମଦାସିଆ ଶିଖ ସମ୍ପ୍ରଦାୟର ଅଟନ୍ତି। ଅନ୍ୟପଟେ ଖବର ମିଳୁଛି ଯେ, ସୁଖଜିନ୍ଦର ରାନ୍ଧୱା ଏବଂ ବ୍ରହ୍ମ ମୋହିନ୍ଦ୍ରଙ୍କୁ ରାଜ୍ୟର ଉପ- ମୁଖ୍ୟମନ୍ତ୍ରୀ କରାଯିବ।
ଚନ୍ନି କଂଗ୍ରେସ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ପଞ୍ଜାବ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାୱତ ତାଙ୍କୁ ରାଜ୍ୟପାଳଙ୍କୁ ଭେଟିବାକୁ ନେଇଥିଲେ। ତାଙ୍କ ସହ ନବଜୋତ ସିଂ ସିଦ୍ଧୁ ଏବଂ ସୁଖଜିନ୍ଦର ସିଂ ରାନ୍ଧୱା ମଧ୍ୟ ଆସିଥିଲେ। ଏହି ବୈଠକ ପରେ ଚରଣଜିତ୍ ଚନ୍ନି ଗଣମାଧ୍ୟମକୁ କହିଛନ୍ତି ଯେ, ୨୦ ତାରିଖ ଅର୍ଥାତ୍ ସୋମବାର ସକାଳ ୧୧ ଟାରେ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
ଚରଣଜିତ୍ ସିଂ ଚନ୍ନି କ୍ରମାଗତ ତିନି ଥର ଚମକର ସାହିବରୁ ବିଧାୟକ ହୋଇଥିଲେ। ୨୦୦୭ ମସିହାରେ ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ି ଜିତିଥିଲେ। ଏହା ପରେ ସେ ଦୁଇଥର କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ। ସେ ୨୦୧୫ ଓ ୨୦୧୬ ମସିହାରେ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ। ତେବେ ୨୦୧୭ ମସିହାରେ ତାଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ସରକାରରେ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ମନ୍ତ୍ରୀ କରାଯାଇଥିଲା। ତେବେ ଚନ୍ନି ଥରେ କହିଥିଲେ ଯେ ପଞ୍ଜାବର ସମସ୍ୟାର ସମାଧାନ ପାଇଁ ଆମେ ଅମରିନ୍ଦରଙ୍କୁ ବିଶ୍ୱାସ କରିପାରିବା ନାହିଁ। ଏହା କହି ସେ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିପକ୍ଷରେ ଠିଆ ହୋଇଥିଲେ।