ବେଜିଂ : ଉତ୍ତର କୋରିଆର ବାଦଶାହ କିମ୍ ଜୋଙ୍ଗ ଉନ୍ ମୃତ ବୋଲି ଖବରକୁ ଯାଞ୍ଚ କରିବାକୁ ଚୀନ ଉତ୍ତର କୋରିଆକୁ ଏକ ଡାକ୍ତରୀ ଦଳ ପଠାଇଥିବା ବେଳେ ବେଜିଂ ସମର୍ଥିତ ଏକ ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ (ଚୀନ ବୈଦେଶିକ ମନ୍ତ୍ରୀଙ୍କ ଭଣଜା) ସେଥିରୁ ପରଦା ଉଠାଇଛନ୍ତି । ହଂକଂ ଟିଭି ଉପାଧ୍ୟକ୍ଷ ତାଙ୍କ ୱାଇବୋରେ କହିଛନ୍ତି ଯେ କିମ୍ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଏକ ଭରସାଯୋଗ୍ୟ ଉତ୍ସ ଦ୍ୱାରା ସମର୍ଥିତ ।
ୱାଇବୋରେ ଜେନିଫର ଜେଙ୍ଗଙ୍କର ପୋଷ୍ଟ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ସେୟାର କରାଯାଇଥିଲା । ଏକ ଭାଇରାଲ୍ ଇମେଜ୍ ମଧ୍ୟ ଅଛି ଯାହାକି କିମ୍ ଜୋଙ୍ଗ ଉନଙ୍କୁ ଏକ ଗ୍ଲାସ କଫିନ୍ ଭିତରେ ମୃତ ଅବସ୍ଥାରେ ଦେଖାଇବାକୁ ଦାବି କରୁଛି । ଏହି ଦାବିଗୁଡିକ ସ୍ଵାଧୀନ ଭାବରେ ଯାଞ୍ଚ ହୋଇପାରିବ ନାହିଁ ଯଦିଓ ତଥାପି ନିଶ୍ଚିତ ଭାବରେ ସତ୍ୟାସତ୍ୟ ଜାଣିବାର ଆଗ୍ରହ ଯୋଗୁ ବର୍ତ୍ତମାନ ଚୀନ ଏକ ଡାକ୍ତରୀ ଦଳ ସେଠାକୁ ପଠାଇଛି ବୋଲି ସୂଚନା ମିଳେ ।
ରଏଟର୍ସ ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନଙ୍କୁ ପରାମର୍ଶ ଦେବା ପାଇଁ ଚୀନ ଉତ୍ତର କୋରିଆକୁ ଏକ ଦଳ ପଠାଇଛି । ସେ ଦଳରେ ପରିସ୍ଥିତି ସହିତ ପରିଚିତ ତିନି ଜଣଙ୍କ ଭିତରେ ଡାକ୍ତରୀ ବିଶେଷଜ୍ଞଙ୍କ ବି ଅଛନ୍ତି । ଯେପର୍ଯ୍ୟନ୍ତ KCNA କିମ୍ବା ଅନ୍ୟ ରାଜ୍ୟ ଗଣମାଧ୍ୟମରୁ ରିପୋର୍ଟ ନ ଆସିଛି, କିମ୍ ଜୋଙ୍ଗ ଉନ୍ ଜୀବିତ ନା ମୃତ ତାହା ଯାଞ୍ଚ କରିବାର କୌଣସି ଉପାୟ ନାହିଁ ।
ଅପ୍ରେଲ ୧୫ ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ କିମ୍ ଜୋଙ୍ଗ ଉନଙ୍କ ଅନୁପସ୍ଥିତି ଅନ୍ତର୍ଜାତୀୟ ଗଣମାଧ୍ୟମ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଜଣେ ବରିଷ୍ଠ ସାମ୍ବାଦିକ ଜିନ୍ ଏଚ୍ ଲି କହିଛନ୍ତି ଯେ ଅପ୍ରେଲ ୨୫ ହେଉଛି ଉତ୍ତର କୋରିଆର ପ୍ରତିରକ୍ଷା ବିଭାଗର ବାର୍ଷିକ ପ୍ରତିଷ୍ଠା ଦିବସ । ତେଣୁ ଉଠୁଥିବା ଗୁଜବକୁ ଭୁଲ ପ୍ରମାଣ କରିବାକୁ ସେଦିନ ସେ ନିଶ୍ଚେ ଉପସ୍ଥିତ ରହିବେ ।