ସଂସ୍କାର : ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟକୁ ମୁକାବିଲା କରିବାରେ ସାହାଯ୍ୟ କରିବାକୁ ଚୀନ୍ ଭାରତ ଏବଂ ଆନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ ଜଡିତ ହୋଇ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଶ୍ରୀଲଙ୍କା ସଂପର୍କରେ ଭାରତ ସରକାର ଅନେକ କିଛି କରିଛନ୍ତି। ଆମେ ସେହି ପ୍ରୟାସକୁ ପ୍ରଶଂସା କରୁଛୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଭାବୁଛି ଚୀନ୍ ପକ୍ଷରୁ ଶ୍ରୀଲଙ୍କାକୁ ଦାନ କରାଯାଇଥିବା ଔଷଧ, ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀର ସମ୍ପ୍ରତି ପଠାଣକୁ ଆପଣ ନିଶ୍ଚୟ ଦେଖିଥିବେ । ଶ୍ରୀଲଙ୍କା ସମାଜକୁ ସାହାଯ୍ୟ କରିବା ପାଇଁ ଚୀନ୍ ସରକାର ଯଥାସମ୍ଭବ ଚେଷ୍ଟା ଚଲାଇଛି। ସେ ଆହୁରି ମଧ୍ୟ ଚୀନ୍ ସରକାରଙ୍କ ଶ୍ରୀଲଙ୍କାକୁ ୭୩ ମିଲିୟନ ଡଲାରର ମାନବିକ ସହାୟତା ବିଷୟରେ ବର୍ଣ୍ଣନା କରିଛନ୍ତି। ନିଜର ସାମର୍ଥ୍ୟ ଅନୁଯାୟୀ ଶ୍ରୀଲଙ୍କାକୁ ସାହାଯ୍ୟ କରିବ ଚୀନ୍ ବୋଲି ସେ କହିଛନ୍ତି।
ଜାଓ ଲିଜିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ ପାରମ୍ପାରିକ ବନ୍ଧୁତ୍ୱପୂର୍ଣ୍ଣ ପଡ଼ୋଶୀ ଭାବରେ ଶ୍ରୀଲଙ୍କା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆମେ ବହୁତ ଦୁଃଖିତ। ଆମର ସାମର୍ଥ୍ୟ ଅନୁଯାୟୀ ଶ୍ରୀଲଙ୍କାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଆମେ ସର୍ବଦା ସହାୟତା ଯୋଗାଇ ଦେଇଛୁ। ଆମେ ଔଷଧ ବିତରଣ କରିଛୁ । ଖୁବ୍ ଶୀଘ୍ର ଚାଉଳ ସାମଗ୍ରୀ ଶ୍ରୀଲଙ୍କାରେ ପହଞ୍ଚିବାକୁ ଯାଉଛି। ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ସହିତ ଚୀନ୍ ଶ୍ରୀଲଙ୍କାକୁ ସାହାଯ୍ୟ କରିବ ବୋଲି ଜାଓ ଲିଜିଆନ୍ କହିଛନ୍ତି।