ଡିସେମ୍ବର ଶେଷ ସୁଦ୍ଧା ବଜାରକୁ ଆସୁଛି କରୋନା ଟିକା : ବର୍ଷକୁ ୨୨ କୋଟି ଡୋଜ ପ୍ରସ୍ତୁତ କରିବାକୁ ଚୀନର ବଡ଼ ଦାବି

ବିଶ୍ଵ ସାରା ଅନେକ ଦେଶ କରୋନା ଟିକା ପ୍ରସ୍ତୁତ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଚୀନ କରିଛି ବଡ଼ ଦାବି । ସୂଚନା ଅନୁଯାୟୀ ଚୀନର ସରକାରୀ କମ୍ପାନୀ ସିନୋଫାର୍ମ ପ୍ରସ୍ତୁତ କରୁଥିବା କରୋନା ଟିକା ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ । ତେବେ ଟିକାର ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ରହିବ ଯେତେବେଳେକି ଜଣକୁ ଅନ୍ୟୁନ ଦୁଇଟି ଡୋଜ ନେବାକୁ ହେବ ।

ତେବେ ସିନୋଫାର୍ମର ଏହି କରୋନା ଟିକାର ଦୁଇଟି ଡୋଜର ମୂଲ୍ୟ ୧୩୦ ଡଲାର ଅର୍ଥାତ ପାଖାପାଖି ୯, ୭୦୦ ଟଙ୍କା ରହିବ । ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ଟିକା ବର୍ଷ ଶେଷ ସୁଦ୍ଧା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଟିକା ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛି ସିନୋଫାର୍ମ । ଅନ୍ୟପକ୍ଷରେ ସିନୋଫାର୍ମର ଦାବି ଅନୁଯାୟୀ, ଏହି ଟିକାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି ।

କରୋନା ବିରୋଧରେ ଲଢିବା ପାଇଁ ଶରୀରରେ ପ୍ରତିଷେଧକ ଶକ୍ତି ବଢାଇବା ଲାଗି ଜଣକୁ ଅତିକମରେ ୨ରୁ ୩ ଟି ଡୋଜ କରୋନା ଟିକା ନେବାର ଆବଶ୍ୟକତା ପଡ଼ିବ । ତେବେ ସମସ୍ତ ଚୀନ୍ ନାଗରିକଙ୍କୁ ମଧ୍ୟ ଏହି ଟିକା ମିଳିବା କଷ୍ଟକର ହେଇଯିବ ଯେହେତୁ ଚୀନର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ହେବ ।

ଆମେରିକାର ଏକ ପ୍ରଖ୍ୟାତ ଦୈନିକ ଖବରକାଗଜ ‘ଦ ୱାଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ରିପୋର୍ଟ କହୁଛି ଯେ ଚୀନ କରୋନା ଟିକାକୁ ଅସ୍ତ୍ର କରିବାକୁ ପ୍ରୟାସ କରୁଛି । ବିବାଦୀୟ ଦକ୍ଷିଣ ସାଗରରେ ଯେଉଁ ଦେଶ ଚୀନର ଏହି କରୋନା ଟିକା ପ୍ରସ୍ତୁତିର ଦାବିକୁ ସମର୍ଥନ କରୁଛି ସେସବୁ ଦେଶଗୁଡ଼ିକୁ ଚୀନ କରୋନା ଟିକା ଯୋଗାଇ ଦେବ ବୋଲି ଯୋଜନା କରୁଛି । ଏଣେ ବିଶେଷଜ୍ଞମାନଙ୍କ କହିବାନୁସାରେ ସୀମା ବିବାଦ ଚାଲିଥିବା ଯୋଗୁଁ ଭାରତକୁ ଟିକା ଦେବାରେ ବିଳମ୍ବ କରିପାରେ ଚୀନ ।

Leave a Reply

Your email address will not be published. Required fields are marked *