ବିବାହକୁ ନେଇ ଚୀନ୍ରେ ସାମ୍ନାକୁ ଆସିଛି ଏକ ଅଜବ ମାମଲା । କେହି କେବେ ସ୍ୱପ୍ନରେ ବି କଳ୍ପନା କରିନଥିବେ ଯାହା ତାହା ଘଟିଛି । ୩୧ ମାର୍ଚ୍ଚରେ ଚୀନ୍ର ଜିଆଙ୍ଗୁସ୍ ଅଞ୍ଚଳର ସୋଜୋଉରେ ଅନୁଷ୍ଠିତ ବିବାହ ବେଳେ ବରର ମା’ ନିଜର ଭାବୀ ବୋହୂର ହାତକୁ ଦେଖି ଚକିତ ହୋଇ ଯାଇଥିଲେ । ସେ ଜୋରରେ କାନ୍ଦିବାକୁ ଲାଗିଲେ ।
ମା’ କନ୍ଦିବାର କାରଣ ହେଉଛି ବିବାହ ପାଇଁ ସଜ୍ଜିତ ଦମ୍ପତି ଦୁହେଁ ବାସ୍ତବରେ ଭାଇଭଉଣୀ । ବରର ସାଜିଥିବା ପୁଅର ମା’ ଯେତେବେଳେ କନ୍ୟା ହାତରେ ଥିବା ଜନ୍ମବେଳର ଚିହ୍ନକୁ ଦେଖିଲେ ସେ ତୁରନ୍ତ କନ୍ୟାଙ୍କୁ ନିଜ ଝିଅ ବୋଲି ଚିହ୍ନି ପାରିଥିଲେ । କନ୍ୟାର ହାତରେ ଥିବା ଚିହ୍ନକୁ ଦେଖି ବରର ମା’ ତାଙ୍କ ପିତାମାତାଙ୍କ ବିଷୟରେ ପଚାରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ବର୍ତ୍ତମାନର ତାଙ୍କ ବାପାମା’ ୨୦ ବର୍ଷ ପୂର୍ବେ ତାଙ୍କୁ ଏକ ରାସ୍ତାକଡ଼ରୁ ପାଇ ପାଳିଛନ୍ତି । ପ୍ରକୃତ କଥା ଜାଣିବା ପରେ ଯୁବତୀ ତାଙ୍କ ମାଆକୁ ଧରି କାନ୍ଦିଥିଲେ ଏବଂ ସେତେବେଳେ ଯାଇ ନିଜ ପ୍ରକୃତ ବାପମା’ ବିଷୟରେ ଜାଣି ପାରିଥିଲେ ।

ମାତ୍ର କାହାଣୀର ମୋଡ଼ ସେତେବେଳେ ଜବରଦସ୍ତ ହେଲା ଏସବୁ ଜାଣିଲା ପରେ ବି ଯେତେବେଳେ ଉକ୍ତ ବିବାହରେ କୌଣସି ରୋକ୍ ଲାଗିଲା ନାହିଁ । ବରକୁ ବି ସେମାନେ କେଉଁଠୁ ଆଣି ନିଜ ପାଖରେ ପାଳିଥିଲେ । ତେଣୁ ଅଚାନକ ବରର ମା’ ଅସଲରେ କନ୍ୟାର ମା’ ହୋଇଥିବାରୁ ଏହି ବିବାହରେ ସମ୍ମତି ଜଣାଇଥିଲେ । ଏହାପରେ ସମସ୍ତ ରୀତିନୀତିରେ ବାହାଘରଟି ସମ୍ପନ୍ନ ହୋଇଥିଲା ।
ସତରେ ! ସମୟ ବଡ଼ ବଳବାନ । ତା’ ଖେଳ ବିଚିତ୍ର । ସ୍ଥାନୀୟ ମିଡ଼ିଆ ମୁତାବକ ୨୦ ବର୍ଷ ପୂର୍ବେ ଯେବେ ମହିଳା ଜଣଙ୍କ ଝିଅ ହଜିଯାଇଥିଲା, ସେ ଅନେକ ଖୋଜିଥିଲେ । ଶେଷରେ ନିରାଶ ହୋଇ ଏହି ଶିଶୁ (ଆଜିର ବର)କୁ କୋଳେଇ ନେଇଥିଲେ । ଏବେ ଏହି ଯୁବକ ଏବଂ ତାଙ୍କ ହଜି ଯାଇଥିବା ଝିଅର ବିବାହ ହେଲା । ସେଠାରେ ଉପସ୍ଥିତ ଥିବା ସମସ୍ତେ ଭାବୁକ ପାଲଟି ଯାଇଥିଲେ ।