ସଂସ୍କାର : ଭାରତୀୟ ଗଣତନ୍ତ୍ରରେ ଆଇନକୁ ମାନିବା ସର୍ବପ୍ରଥମ । ଅର୍ଥାତ୍ ଆମ ଦେଶରେ ଆଇନ କାନୁନଠୁ ବଳି କେହି ଊର୍ଦ୍ଧ୍ବରେ ନାହାନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଧନୀ ହେଉ ଅବା ଗରିବ। ତେବେ ନିଜକୁ ଭିଭିଆଇପି ମନେକରି ବିମାନ ବନ୍ଦର ନିୟମ ନମାନି ତନଖି ଫାଟକ ଅତିକ୍ରମ କରୁଥିବା ସମୟରେ ବଲିଉଡର ଭାଇଜାନ୍ ସଲମାନ୍ ଖାନଙ୍କୁ ଅଟକାଇ ଥିଲେ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ)ର ଜଣେ ଯବାନ।ଆଉ ସେ ଯବାନ ଜଣକ ହେଉଛନ୍ତି ଆମ ଓଡ଼ିଆ ପୁଅ। ଭାରତୀୟ ସେନାରେ ଯୋଗ ଦେଇ ମୁମ୍ବଇ ବିମାନ ବନ୍ଦରରେ ନିୟୋଜିତ ଥିବା ଏହି ଯବାନଙ୍କ ନାମ ହେଉଛି ସୋମନାଥ ମହାନ୍ତି। ଆଉ ଏହି ଯବାନଙ୍କ ଘର ନୟାଗଡ଼ ଜିଲାରେ ବୋଲି ଜଣାପଡ଼ିଛି।
ସଲମାନ୍ଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ଓଡ଼ିଆ ଯବାନ ସୋମନାଥ। ଗତ ଶନିବାର ଦିନ ଭୋର ପ୍ରାୟ ୪ଟାରେ ବଲିଉଡର ଭାଇଜାନ୍ ସଲମାନ୍, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସ୍ମି ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ସଲମାନ ଖାନଙ୍କ ଆଗାମୀ ହିନ୍ଦି ସିନେମା ‘ଟାଇଗର-୩’ ସୁଟିଂ ପାଇଁ ଏ ତିନିଜଣ ରୁଷ୍ ଯାଉଥିଲେ। ସେତେବେଳେ ଏହି ସମୟରେ ବିମାନ ବନ୍ଦରର ତନଖି ଫାଟକଠାରେ ନିୟୋଜିତ ଥିବା ଯବାନ ସୋମନାଥ, ସଲମାନଙ୍କୁ ଅଟକାଇ ସାଧାରଣ ଯାତ୍ରୀଙ୍କ ସହ ଧାଡ଼ିରେ ଆସିବାକୁ କହିଥିଲେ।
ସଲମାନ୍ ଯବାନଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ପଛକୁ ଫେରି ଯାତ୍ରୀଙ୍କ ଧାଡ଼ିରେ ବିମାନ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ଦେଖାଦେଖି କ୍ୟାଟ୍ରିନା ଓ ଇମ୍ରାନ୍ ମଧ୍ୟ ସାଧାରଣ ଯାତ୍ରୀଙ୍କ ଧାଡ଼ିରେ ତନଖି ଫାଟକ ପାର ହୋଇ ବିମାନ ଅଭିମୁଖେ ଯାତ୍ରା କରିଥିଲେ। ସଲମାନ ବିମାନ ବନ୍ଦର ତନଖି ଫାଟକ ନିକଟରେ ଥିବାବେଳେ କେତେଜଣ ଫଟୋଗ୍ରାଫର ଓ ପ୍ରଶଂସକ ଭିଡ଼ ଜମାଇଥିଲେ। ନିରାପତ୍ତା ଦୃଷ୍ଟିରୁ ସୋମନାଥ ସେମାନଙ୍କୁ ମଧ୍ୟ ଘଉଡ଼ାଇ ଦେଇଥିଲେ। ପରେ ସଲମାନ୍ ଓ ତାଙ୍କ ଦଳ ଏକ ସ୍ବତନ୍ତ୍ର ବିମାନରେ ରୁଷ୍ ଯାତ୍ରା କରିଥିଲେ।
ଦେଖନ୍ତୁ ଭିଡିଓ :-
ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ସୋମନାଥ କହିଛନ୍ତି। ଏ ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହେବା ପରେ ଦେଶ ବ୍ୟାପୀ ଯବାନ ସୋମନାଥଙ୍କ କର୍ତ୍ତବ୍ୟପରାୟଣ ଓ ଦାୟିତ୍ବବୋଧତାକୁ ପ୍ରଶଂସା କରାଯାଇଛି। ସେ ତାଙ୍କ ପୁଅ ପାଇଁ ଗର୍ବିତ ବୋଲି ଉକ୍ତ ଭିଡିଓ ଦେଖି ସୋମନାଥଙ୍କ ବାପା କହିଛନ୍ତି।