ରୁଷିଆରୁ ଆସିଥିବା ଏହି ଖବର ଆଶ୍ଚର୍ଯ୍ୟଜନକ ଅଟେ । ଶ୍ୱାସ ନେବାରେ ଅସୁବିଧା ହେଉଥିବା ଅଭିଯୋଗ ନେଇ ଡାକ୍ତର ପାଖରେ ପହଞ୍ଚିଲେ ୫୯ ବର୍ଷ ବୟସ୍କ ଜଣେ ବ୍ୟକ୍ତି । ସେ ତାଙ୍କ ଡାହାଣ ନାକ ଦେଇ ଶ୍ଵାସକ୍ରିୟା କରି ପାରୁନଥିଲେ । ଡାକ୍ତରୀ ଯାଞ୍ଚ ବେଳେ ଡାକ୍ତର ଯାହା ଦେଖିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା । ଉକ୍ତ ବ୍ୟକ୍ତିଙ୍କ ନାକରେ ଏକ ମୁଦ୍ରା ଲାଗି ରହିଥିଲା, ଯେଉଁଥିପାଇଁ ତାଙ୍କୁ ନିଶ୍ୱାସପ୍ରଶ୍ଵାସ ନେବାରେ ଅସୁବିଧା ହେଉଥିଲା ।
ପଚାରିବାରୁ ବ୍ୟକ୍ତି ଜଣକ ଡାକ୍ତରଙ୍କୁ କହିଲେ ଯେ ଯେତେବେଳେ ତାଙ୍କୁ ୬ ବର୍ଷ ହୋଇଥିଲା, ସେ ନିଜେ ତାଙ୍କ ନାକରେ ଏକ ମୁଦ୍ରା ପୁରେଇ ଦେଇଥିଲେ । ଗାଳି ଓ ମାଡ଼ ଭୟରେ ସେ ନିଜ ମା’ଙ୍କୁ ମଧ୍ୟ ଏନେଇ କୌଣସି ସୂଚନା ଦେଇନଥିଲେ । ପରେ ସେ ନିଜେ ଭୁଲିଗଲେ ଯେ ମୁଦ୍ରା ତାଙ୍କ ନାକରେ ଲାଖି ରହିଛି ।

ଆଶ୍ଚର୍ଯ୍ୟର କଥା ଯେ ଦୀର୍ଘ ୫୦ ବର୍ଷ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତଙ୍କୁ ଶ୍ଵାସକ୍ରିୟାରେ କୌଣସି ଅସୁବିଧା ହେଉ ନଥିଲା । ୫୦ ବର୍ଷ ପରେ ଯେବେ ତାଙ୍କୁ ନିଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ହେଲା ସେତେବେଳେ ସେ ଡାକ୍ତରଙ୍କ ନିକଟକୁ ଆସିଲେ । ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କ ନାକ ସ୍କାନ କରିଥିଲେ ଯେଉଁଥିରେ କିଛି ମୁଦ୍ରା ଅଟକି ରହିଥିବାର ଦେଖାଯାଇଥିଲା ।
ଏତେ ବର୍ଷ ଧରି ମୁଦ୍ରା ନାକରେ ଫସି ରହିଥିବାରୁ ତା’ ଚାରିପାଖରେ ପଥର ପରି ଏକ ଢାଞ୍ଚା ନିର୍ମାଣ ହୋଇଯାଇଥିଲା ଯେଉଁ କାରଣରୁ, ଏହି ବ୍ୟକ୍ତି ନିଶ୍ୱାସ ନେଇ ପାରୁନଥିଲେ । ଅତି ଯତ୍ନର ସହିତ ଅପରେସନ୍ ମାଧ୍ୟମରେ ଡାକ୍ତରମାନେ ଏହି ମୁଦ୍ରାକୁ ନାକରୁ ବାହାର କରିଥିଲେ । ଯେତେବେଳେ ଏହି ମୁଦ୍ରା ବ୍ୟକ୍ତିଙ୍କ ନାକରେ ଅଟକିଥିଲା ତାର ମୂଲ୍ୟ ଏକ ପଇସା ପାଖାପାଖି ଥିଲା ।