ଏ କରୋନା କାଳରେ ବେଲଜିୟମରେ ଘଟିଯାଇଛି ଏକ କରୁଣ ଘଟଣା । ଜଣେ କରୋନା ପଜିଟିଭ୍ ସାଣ୍ଟା କ୍ଲଜ୍ ପାଇଁ ଏକ ବୃଦ୍ଧାଶ୍ରମରେ ରହୁଥିବା ୧୫୦ ଜଣ ଅନ୍ତେବାସୀ ବିପଦରେ ପଡିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସି ୧୮ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୧ ଜଣ ଅନ୍ତେବାସୀଙ୍କ ସହିତ ୩୬ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଖବର ମୁତାବକ ଡିସେମ୍ବର ୨୫ ତାରିଖ ସନ୍ଧ୍ୟାରେ ହିଁ ୫ ଜଣ ସିନିୟର ସିଟିଜେନଙ୍କ ମୃତ୍ୟୁ ହୋଇଥିବା ବେଳେ ଖ୍ରୀଷ୍ଟମାସ ଦିନ ଜଣଙ୍କୁ ଅକ୍ସିଜେନ ଲଗାଇବାକୁ ପଡିଥିଲା । ଡେଲିମେଲର ରିପୋର୍ଟ ଅନୁସାରେ ଦୁଇ ସପ୍ତାହ ପୂର୍ବରୁ ସାଣ୍ଟା କ୍ଲଜ୍ ହେଇ ଜଣେ ବ୍ୟକ୍ତି ନିଜର କିଛି ସାଥୀଙ୍କୁ ଧରି ବେଲଜିୟମରେ ଥିବା ଏକ ବୃଦ୍ଧାଶ୍ରମକୁ ଆସିଥିଲେ । ସେଠାରେ ସେ ଅନ୍ତେବାସୀଙ୍କୁ ଉପହାର ମଧ୍ୟ ଦେଇଥିଲେ । କିନ୍ତୁ ସେ ସୁପର ସ୍ପ୍ରେଡର୍ ରୂପେ ବିବେଚିତ ହେଲେ । କାରଣ ବୃଦ୍ଧାଶ୍ରମକୁ ଯିବାର ୩ ଦିନ ପରେ ସାଣ୍ଟା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ତେବେ ସ୍ଥାନୀୟ ମେୟର ବିମ୍ କିୟର୍ସ କହିବାନୁଯାୟୀ ବୃଦ୍ଧାଶ୍ରମ ପାଇଁ ଚଳିତ ବର୍ଷର ଖ୍ରୀଷ୍ଟମାସ ବ୍ଲାକ ଡ଼େ ହେଲା । ଏହା ଆହୁରି ୧୦ ଦିନ ମଧ୍ୟ କଠିନ ରହିବ । ସାଣ୍ଟା କ୍ଲଜ କରୋନା କଟକଣା ଜନିତ ସମସ୍ତ ନିୟମ (ସାମାଜିକ ଦୂରତା ଏବଂ ମାସ୍କ) ମାନିଥିବା କୁହାଯାଉଥିଲେ ବି ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ଫଟୋରେ ସବୁ ନିୟମର ଉଲଙ୍ଘନ ହୋଇଥିବା ସ୍ପଷ୍ଟ ବାରି ହେଇପଡୁଛି ।