ଯଦି ଦେଶବ୍ୟାପୀ ଲକଡାଉନ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ହୋଇନଥାନ୍ତା, ତେବେ କରୋନାଭାଇରସ ରୋଗୀ ସଂଖ୍ୟା ୪୧ ପ୍ରତିଶତ ବୃଦ୍ଧି ପାଇଥାନ୍ତା । ଅପ୍ରେଲ ୧୫ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷରେ ପହଞ୍ଚିଥାନ୍ତା ବୋଲି ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
କରୋନାଭାଇରସ ଭାରତ ସମେତ ସମଗ୍ର ବିଶ୍ୱକୁ ସତେ ଯେମିତି ବଦଳେଇ ଦେଲାଣି । କେବଳ ଭାରତ କାହିଁକି ଅନେକ ଦେଶ କୋଭିଡ଼-୧୯ର ସଂକ୍ରମଣକୁ ରୋକିବାକୁ ଏହି ଲକଡାଉନ ବ୍ୟବସ୍ଥାକୁ ଆପଣେଇଛନ୍ତି । ବର୍ତ୍ତମାନ ଏହି ମାରାତ୍ମକ ଭାଇରସ ସହିତ ମୁକାବିଲା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଲକଡାଉନ, ନିୟନ୍ତ୍ରଣ କ୍ଷେତ୍ର ଏବଂ ସାମାଜିକ ଦୂରତା । ଏସବୁ ସତ୍ତ୍ୱେ ଭାରତ ସହିତ ସାରା ବିଶ୍ୱରେ କରୋନାଭାଇରସ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଭାରତରେ ଏପର୍ଯ୍ୟନ୍ତ ୭୫୨୮ରୁ ଅଧିକ ଲୋକ କରୋନାଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୨୪୨ ଜଣଙ୍କର ମୃତ୍ୟୁ ହୋଇଛି ଯଦିଓ ସେମାନଙ୍କ ଭିତରୁ ୬୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଯଦି ମାର୍ଚ୍ଚ ୨୪ରେ ମୋଦି ସରକାର ଦେଶବ୍ୟାପୀ ତାଲା ପକାଇ ନଥାନ୍ତେ, ତେବେ ବର୍ତ୍ତମାନ ସୁଦ୍ଧା ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ସାରନ୍ତାଣି ।
ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ କହିବାନୁଯାୟୀ ଗତକାଲି ଦେଶରେ କରୋନାଭାଇରସ ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୩୫ ଟି ନୂଆ ମାମଲା ରୁଜୁ ହୋଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କରୋନାଭାଇରସ ମୁକାବିଲା ପାଇଁ ଭାରତ ତୀବ୍ରତାର ସହିତ ପ୍ରସ୍ତୁତି ଚଳେଇଛି । ଦେଶରେ କରୋନାଭାଇରସ ରୋଗୀଙ୍କ ପାଇଁ ୫୮୬ ଟି ଡାକ୍ତରଖାନା, ଏକ ଲକ୍ଷରୁ ଅଧିକ ଆଇସୋଲେସନ ବେଡ ଓ ୧୧୫୦୦ ICU ବେଡର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଦେଶରେ ଏକ ଲକ୍ଷ ୭୧ ହଜାର ୭୧୮ଜଣଙ୍କ କରୋନା ଆକ୍ରାନ୍ତଙ୍କୁ ଯାଞ୍ଚ କରାଯାଇଛି । ଶୁକ୍ରବାର ଦିନ ୧୬ ହଜାର ୫୬୪ ଜଣଙ୍କୁ କରୋନା ପରୀକ୍ଷା କରାଯାଇଥିଲା ।