ଗୁଜୁରାଟ : ଗାଁରୁ ସହର, ରାଜ୍ୟରୁ ଦେଶ କରୋନା ସବୁଆଡ଼େ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବେ ତ ଗୁଜୁରାଟରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିଛି । କରୋନା ପଜିଟିଭ ବ୍ୟକ୍ତି ଆରୋଗ୍ୟ ହେଇ ଘରକୁ ଫେରିଲା ପରେ ଅଚାନକ ସେମାନଙ୍କ ମୃତ୍ୟୁ ହେବା ଏବେ ମୁଣ୍ଡ ଖରାପ କଲାଣି ରାଜ୍ୟ ସରକାର, ଡାକ୍ତର ତଥା ବିଶେଷଜ୍ଞଙ୍କର ।
ସୂଚନା ଅନୁଯାୟୀ କରୋନା ଆକ୍ରାନ୍ତ ଲୋକମାନେ ଚିକିତ୍ସାରୁ ଆରୋଗ୍ୟ ହେଲାପରେ ଅଧିକାଂଶ ପ୍ରାଣ ହରାଇଛନ୍ତି । ମୃତ୍ୟୁର କାରଣ ବ୍ରେନ ଷ୍ଟ୍ରୋକ କିମ୍ବା ହୃଦଘାତ । ଏଭଳି ଏକ ଘଟଣା ଘଟିଛି ଗୁଜୁରାଟର ସୁରଟରେ । ହସ୍ପିଟାଲରୁ ଡିସଚାର୍ଜ ହେଲାପରେ ୭୦ ବର୍ଷର ଜଣେ ବ୍ୟକ୍ତି ଘରକୁ ଫେରିବା ପରେ ପ୍ରାଣ ହରାଇଛନ୍ତି । ତେବେ ସେ କରୋନା ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।
କରୋନା ଆକ୍ରାନ୍ତ ବ୍ୟକ୍ତି କୋଭିଡ଼ ରୋଗରୁ ଆରୋଗ୍ୟ ହେଲା ପରେ ବି ଅନେକ ସପ୍ତାହ ପର୍ଯ୍ୟନ୍ତ ରକ୍ତ ଜମାଟ ବାନ୍ଧିବା ବିପଦ ସାଙ୍ଗରେ ରହିଥାଏ । ଫଳରେ ସେମାନଙ୍କ ନିକଟରେ ଅଚାନକ ହୃଦଘାତ କିମ୍ବା ବ୍ରେନ ଷ୍ଟ୍ରୋକ ଆଦିର ଶିକାର ହେବାର ସମ୍ଭାବନା ରହିଥାଏ ବୋଲି ଡାକ୍ତର ମତ ଦେଇଛନ୍ତି ।
ଅନ୍ୟପକ୍ଷରେ ଏପରି ବାରମ୍ବାର ଘଟିବା ଗୁଜରାଟ ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି । ଏହାସହିତ ରାଜ୍ୟବାସୀ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ବି ଶରୀରରେ ରହିଯାଉଛି କରୋନାର ଅବଶେଷ । ଦୀର୍ଘ ସମୟ ଧରି ହାଇପରକୋଏଗୁଲେସନ ରୋଗୀ ହଠାତ୍ ହୃଦଘାତ, ମସ୍ତିଷ୍କ ଷ୍ଟ୍ରୋକ୍ ଏବଂ ଫୁସଫୁସ ଏମ୍ବୋଲାଇଜିମ୍ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ଗୁଜୁରାଟର କୋଭିଡ-ଟାସ୍କଫୋର୍ସର ସଦସ୍ୟ ଡାକ୍ତର ତୁଷାର ପଟେଲ କହିଛନ୍ତି ।