ଇନ୍ଦୋର : କରୋନାର କୋକୁଆ ଭୟ ଏବେ ସମସ୍ତଙ୍କ ମନରେ । କରୋନା ରୋଗରୁ ସୁରକ୍ଷା ପାଇଁ ସରକାରଙ୍କ ନିୟମ ମାନିବା ସହିତ ଲୋକେ ନିଜ ମୁତାବକ ଯାବତୀୟ ସଚେତନତା ବି ଅବଲମ୍ବନ କରୁଛନ୍ତି । ଏ ସମୟରେ କିନ୍ତୁ ଜଣେ ବାପା ନିଜ ଝିଅର ବିବାହ ଅଟକାଇବାକୁ ଯାଇ କରୋନା ଭାଇରସର ଆଳ ନେବା କଥା ପ୍ରଘଟ ହେଲାପରେ ଚର୍ଚ୍ଚା ଜୋର ଧରିଛି ।
ଘଟଣାଟି ଏହିପରି । ମଧ୍ୟପ୍ରଦେଶର ଖଣ୍ଡାୱାରେ ଗୋଟିଏ ଝିଅ ତା ବାପା କଥାରୁ ବାହାରି ଯାଇ ତାଙ୍କ ଇଚ୍ଛା ବିରୋଧରେ ବିବାହ କରୁଥିବାରୁ ବାପା କହିଛନ୍ତି ଝିଅ ମୋର କରୋନା ପଜିଟିଭ । ବାହାଘର ଅଟକାଇବାର ଏ କେବଳ ଏକ ଆଳ ମାତ୍ର । ଏ କଥା ଶୁଣି କିନ୍ତୁ ଘଟଣାସ୍ଥଳରେ ଥିବା ଓକିଲ ଯୁବକ-ଯୁବତୀ ଦୁହିଁକୁ ତୁରନ୍ତ ଘରକୁ ଯିବା ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଯୁବତୀ ନିଜ ଘରେ ୧୪ ଦିନିଆ କ୍ଵାରେଣ୍ଟିନରେ ଅଛନ୍ତି ଏବଂ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।
ସୂଚନା ଅନୁଯାୟୀ ଓକିଲ ବିରେନ୍ଦ୍ର ବର୍ମା କହିଛନ୍ତି ଯେ ଉଭୟ ଯୁବକ ଓ ଯୁବତୀ ନିଜ ବନ୍ଧୁମାନଙ୍କୁ ଧରି ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ । ହେଲେ ସେତିକିବେଳେ ଯୁବତୀଙ୍କ ବାପା ଆସି ମୋ ଝିଅ କରୋନା ପଜିଟିଭ ବୋଲି କହିଥିଲେ । ବୋଧହୁଏ ସେ ବିବାହ ରୋକିବା ପାଇଁ ଏଭଳି ଆଳ ଦେଖାଇ ଥାଇପାରନ୍ତି, କିନ୍ତୁ ମୁଁ ସାବଧାନତା ଅବଲମ୍ବନ କରି ସମସ୍ତଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦେବା ସହିତ ନିଜେ ମଧ୍ୟ ଘରକୁ ଆସି ପ୍ରଥମେ ଗଧୋଇ ଥିଲି । ଏମିତିକି ଯୁବତୀଙ୍କ ବାପା କଥା ଶୁଣି କୋର୍ଟର ସବୁ କର୍ମଚାରୀ ଘରକୁ ପଳେଇଥିଲେ ।
ତେବେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିନାହିଁ ଏବଂ ଯୁବତୀ ଜଣକ ଘରେ ୧୪ ଦିନିଆ କ୍ଵାରେଣ୍ଟିନରେ ଥିବାବେଳେ ତାଙ୍କ ସ୍ଵାବ ନମୁନା ପରୀକ୍ଷା ପାଇଁ ପଠାଇ ଦିଆଯାଇଛି ।