ନିଜ ତରଫରୁ ବନ୍ଧୁତାର ହାତ ବଢାଇ ଧୋକା ଦେଲା ଚାଇନା : ରୋକ୍ ଲଗାଇଲା …

କୋଭିଡ୍ ସାରା ମାନବଜାତି ପାଇଁ ଶତ୍ରୁ । ଏହା ମୁକାବିଲା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ହେବ । ତେବେ ଏ ଦୁଃସମୟରେ ଭାରତକୁ ସହଯୋଗ କରିବେ ବୋଲି ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ୱାଙ୍ଗ ଓ୍ୱେନବିନ କହିଥିଲେ । ହେଲେ ବର୍ତ୍ତମାନ ଭାରତକୁ କାର୍ଗୋ ବିମାନର ଉଡ଼ାଣ ଉପରେ ରୋକ୍ ଲଗାଇ ଦେଇଛନ୍ତି ଜିନପିଙ୍ଗ୍ । ଏମିତିକି ଚାଇନାର ସମସ୍ତ ସ୍ୱାସ୍ଥ୍ୟ ଉପକରଣଗୁଡ଼ିକର ଦାମ୍ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ମଧ୍ୟ କରିଛନ୍ତି ଯାହା ତାଙ୍କ ବେଇମାନୀ ସ୍ପଷ୍ଟ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ ନିକଟରେ ଭାରତକୁ ସମସ୍ତ ପ୍ରକାର ଚିକିତ୍ସା ଉପକରଣ ପଠାଇବା ପାଇଁ ଚାଇନା ପ୍ରସ୍ତୁତ ବୋଲି ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଥିଲେ । ହେଲେ ସହଯୋଗ କରିବ କହି ନିଜ ପ୍ରସ୍ତୁତ କରୋନା ଟିକାକୁ ଭାରତରେ ବିକ୍ରି କରି ନିଜ ପକେଟ ଗରମ କରିବା ପାଇଁ ଉଦ୍ଦେଶ୍ୟ ରଖିଥିଲା ଚୀନ । ତେଣୁ ସେ ସମୟରେ ଭାରତ ଏ ପ୍ରସ୍ତାବରେ ରାଜି ହୋଇନଥିଲା । କାରଣ ଚାଇନା ଟିକା ନେବା ପରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିବା ନଜିର ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ : indiatv

ଯେତେବେଳେ ଆମେରିକା ଭାରତକୁ ସହଯୋଗ କରିବ ନାହିଁ ବୋଲି କହିଥିଲା ସେ ସମୟରେ ଭାରତକୁ ଦୋସ୍ତିର ହାତ ବଢ଼ାଇ ଆମେରିକାକୁ ଚେକ୍ ଦେବା ପାଇଁ ଜିନପିଙ୍ଗ୍ ଚିନ୍ତା କରିଥିଲେ । ସେପଟେ ଋଷିଆ ସହିତ ନିରନ୍ତର ସମ୍ପର୍କ ବୃଦ୍ଧି କରିବାରେ ଲାଗିଛି ଚୀନ ଯାହାକି ଆମେରିକାକୁ ପରୋକ୍ଷରେ ଚେକ୍ ଦେବା ସହିତ ସମାନ । କିନ୍ତୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାରେ ଥିବା ତାଙ୍କ ପ୍ରତିପକ୍ଷକକୁ ଗୋଟିଏ ଫୋନ୍ କଲ କରିବା ଏବଂ ଭାରତର କୂଟନୀତି ଆଗରେ ମୁଣ୍ଡ ନୁଆଁଁଇବା ଦର୍ଶାଉଛି ଯେ ଚୀନ ପକାଇଥିବା ବାଜି ଓଲଟି ଯାଇଛି । ବୋଧେ ସେଇ କାରଣରୁ ଚାଇନା ଆଉ ଭାରତ ସହିତ ସମ୍ପର୍କ ନବଢାଇ ଏଭଳି ନିଷ୍ପତ୍ତି ନେଇଛି ।

ସୂଚନା ଥାଉ ଯେ ବର୍ଷକ ତଳେ ଏହି ସମୟରେ ବେଜିଂକୁ ନୂଆଦିଲ୍ଲୀ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲା, ଯେଉଁଥିରେ ମାସ୍କ, ଗ୍ଲୋଭସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା । ସେତେବେଳେ ଭାରତ ଚାଇନାକୁ ୧୫ ଟନ୍ ସ୍ୱାସ୍ଥ୍ୟ ସାମଗ୍ରୀ ବିତରଣ କରିଥିଲା ଯାହାର ମୂଲ୍ୟ ପ୍ରାୟ ୨.୧୧ କୋଟି ଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଚାଇନାର ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗ ଭାରତର ସହାୟତାକୁ ପ୍ରଶଂସା ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *