କୋହଲିଙ୍କ କ୍ୟାପଟେନସିପ ଛାଡିବା ପଛରେ ଥିଲା ଗାଙ୍ଗୁଲିଙ୍କ ହାତ! ନିଜେ ଦାଦା କଲେ ଖୁଲାସା…

ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ପୂର୍ବତନ ମୁଖ୍ୟ ସୌରଭ ଗାଙ୍ଗୁଲି ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି । ଏଥର ପୁଣି ସେହି ବିରାଟ କୋହଲିଙ୍କ ଅଧିନାୟକ ପଦକୁ ନେଇ । ଏକ ସାକ୍ଷାତକାରରେ ପୁଣି ବିରାଟଙ୍କ ଅଧିନାୟକ ପଦ ଯିବାକୁ ନେଇ ଖୁଲାସା କରିଛନ୍ତି ସୌରଭ ଗାଙ୍ଗୁଲି । କୋହଲିଙ୍କ ଅଧିନାୟକ ପଦ ଯିବାରେ ଗାଙ୍ଗୁଲିଙ୍କ ହାତ ଥିବା ଚର୍ଚ୍ଚା ଏବେ ବି ହେଉଥିବା ବେଳେ ପୁଣି ସ୍ପଷ୍ଟୀକରଣ ରଖିଛନ୍ତି ଦାଦା ।

ବିରାଟ କୋହଲିଙ୍କ ଅଧିନାୟକ ପଦ ଯିବାକୁ ନେଇ ପୂରା ଦେଶରେ ତମ୍ବିତୋଫାନ ଲାଗି ରହିଥିଲା । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରୁ ବିରାଟ ନିଜେ ହଟିବାର କିଛି ସମୟ ପରେ ତାଙ୍କୁ ଦିନିକିଆ ଫର୍ମାଟ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ସେତେବେଳେ ଗାଙ୍ଗୁଲି ଥିଲେ BCCI ଅଧ୍ୟକ୍ଷ । ତେବେ ଅଧିନାୟକ ପଦରୁ ହଟିବା ପରେ ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରିଥିଲେ ବିରାଟ କୋହଲି।

ବିରାଟ କୋହଲିଙ୍କ ଅଧିନାୟକ ପଦ ଯିବାକୁ ନେଇ ପୁଣି ସ୍ପଷ୍ଟିକରଣ ରଖିଛନ୍ତି ପୂର୍ବତନ BCCI ମୁଖ୍ୟ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଥିଲେ “ମୁଁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ନାହିଁ। କିମ୍ବା ଏଥିରେ ମୋର କୌଣସି ବି ଭୂମିକା ନାହିଁ । ମୁଁ ଏହା ଅନେକ ଥର କହିଛି। ସେ (କୋହଲି) ଟି-୨୦ରେ ନେତୃତ୍ୱ ନେବାକୁ ଆଗ୍ରହୀ ନଥିଲେ। ତେଣୁ ସେ ଏହି ନିଷ୍ପତ୍ତି ନେବା ପରେ ମୁଁ ତାଙ୍କୁ କହିଥିଲି, ଯଦି ଆପଣ ଏଥିରେ ନେତୃତ୍ୱ ନେବାକୁ ଆଗ୍ରହୀ ନୁହଁନ୍ତି ତେବେ ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟ ଅଧିନାୟକ ପଦ ଛାଡିବା ଭଲ ହେବ । ଦିନିକିଆ ଓ ଟି-୨୦ରେ ଜଣେ ଏବଂ ଟେଷ୍ଟରେ ଆଉ ଜଣେ ଅଧିନାୟକ ରହିବା ଭଲ ହେବ ।

କୋହଲିଙ୍କୁ ODI ଅଧିନାୟକତ୍ୱରୁ ହଟାଇବା ପାଇଁ ବିସିସିଆଇର ନିଷ୍ପତ୍ତି ହଠାତ୍ ହୋଇଥିଲା ଏବଂ କୋହଲିଙ୍କ ଅନୁଯାୟୀ ଉପଯୁକ୍ତ ଯୋଗାଯୋଗର ଅଭାବ ରହିଥିଲା। ସାମ୍ବାଦିକ ସମ୍ମିଳନୀରେ କୋହଲି ପ୍ରକାଶ କରିଥିଲେ ଯେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳ ଚୟନର ୯୦ ମିନିଟ ପୂର୍ବରୁ ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଯାଇଥିଲା । ତାଙ୍କୁ କେବଳ ଦିନିକିଆ ଅଧିନାୟକ ପଦ ଛାଡିବାକୁ କୁହାଯାଇଥିଲା । କୋହଲି କିନ୍ତୁ ଟି-୨୦ ଅଧିନାୟକ ପଦ ଛାଡିବାକୁ ଚାହୁଁଥିଲେ । ଆଉ କହିଥିଲେ ଦିନିକିଆ ଅଧିନାୟକ ପଦ ଛାଡିବା ପାଇଁ ମୋତେ ସେଭଳି କୌଣସି ଅନୁରୋଧ କରାଯାଇନଥିଲା । ସେ ସିଧାସଳଖ କମ୍ୟୁନିକେସନ୍‌ ଅଭାବ କହି ଗାଙ୍ଗୁଲିଙ୍କ ଉପରକୁ ଦୋଷ ଠେଲି ଦେଇଥିଲେ ।