କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସହିତ ଦ୍ରୁତ ଗତିରେ ବଢୁଥିବା ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ୱିକେଣ୍ଡ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି କାରଣରୁ ପୋଲିସ ସଜାଗ ରହିଥିବା ବେଳେ ହଳେ ଦମ୍ପତ୍ତି ମାସ୍କ ନଲଗାଇ କାରରେ ଯାଉଥିଲେ । ଏ ସମୟରେ ପୋଲିସ ତାଙ୍କୁ ଅଟକାଇ ଥିଲା ହେଲେ ସେମାନେ ଓଲଟି ପୋଲିସକୁ ଆଖି ଦେଖେଇ ଥିଲେ । ଏମିତିକି ମହିଳା ଜଣକ କହିଲେ, ମୁଁ ତ ୟାକୁ କିସ୍ କରିବି, ଅଟକେଇ ପାରିବ ତ ଅଟକା ମୋତେ ।
ଏହି ପୂରା ଘଟଣା ରବିବାର ଦିନ ଅପରାହ୍ନ ପ୍ରାୟ ସାଢେ ୪ ଟା ବେଳେ ଦରିଆଗଞ୍ଜ ଅଞ୍ଚଳର ଦିଲ୍ଲୀ ଗେଟ୍ ନିକଟରେ ଘଟିଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ‘ଯାଞ୍ଚ କଲାବେଳେ ଆମେ ଏକ କାର ଦେଖିଲୁ ଯେଉଁଥିରେ ଏକ ଯୋଡ଼ି ଦମ୍ପତ୍ତି ମାସ୍କ ନଲଗାଇ କର୍ଫ୍ୟୁ ସମୟରେ ବାହାରେ ବୁଲୁଥିଲେ । ସେମାନଙ୍କ ପାଖରେ କର୍ଫ୍ୟୁ ପାସ୍ ନଥିଲା କି ମୁହଁରେ ମାସ୍କ ନଥିଲା । ଏହା ସତ୍ତ୍ୱେ ସେମାନେ ଇନ୍ସପେକ୍ଟର ଏବଂ ଏସଆଇଙ୍କ ସହିତ ଅଶାଳୀନ ବ୍ୟବହାର କରିଥିଲେ । ଏମିତିକି ମହିଳା ଜଣକ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି କହିଥିଲେ ଯେ ଏଇଠି କରୋନା ନାହିଁ । ଅଯଥାରେ ଲୋକଙ୍କୁ ହଇରାଣ କରାଯାଉଛି ।
ଏ ବିବାଦ ସେଇଠି ସରି ନଥିଲା । କିନ୍ତୁ ଉଭୟ ଏଥିରେ ଅଟକି ନଥିଲେ। ସେ ପୋଲିସ କର୍ମଚାରୀଙ୍କୁ ଧମକ ଦେଇ କହିଥିଲେ ଯେ ସାହସ ଅଛି ତ ଚାଲାଣ କାଟି ଦେଖା । ଏହାପରେ ପୋଲିସ ମହିଳା ଥାନାରୁ ମହିଳା ପୋଲିସ କର୍ମଚାରୀଙ୍କୁ ଡାକି ସେମାନଙ୍କୁ ଧରି ଥାନାକୁ ନେଇଥିଲେ । ତା’ପରେ ସେମାନଙ୍କ ବିରୋଧରେ ୧୮୮ ଏବଂ ୫୧ବି DDMA ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା । ଉଭୟଙ୍କୁ ପଙ୍କଜ ଦତ୍ତା ଏବଂ ଆଭା ଯାଦବ ବୋଲି ଚିହ୍ନଟ କରାଯାଇଛି ।