ସଂସ୍କାର : ବିହାରର ବୋଧଗୟାରେ ଶୁକ୍ରବାର ଦିନ ଭାରତୀୟ ସେନାର ଏର ହାଲୁକା ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ଏକ କ୍ଷେତରେ ଖସି ପଡ଼ିଥିଲା । ତାଲିମ ଉଦ୍ଦେଶ୍ୟରେ ଦୁଇ ଜଣ ପାଇଲଟ୍ ହାଲୁକା ହେଲିକପ୍ଟର ଏମ୍-୧୦୨ ଚଳାଉଥିଲେ । ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ପାଖ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ପଡିଥିବା ଦେଖି ବହୁଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଆରକ୍ରାଫ୍ଟଟିକୁ କ୍ଷେତରୁ କିପରି ଉଠାଯିବ ଏହାକୁ ନେଇ ଦୁଇ ପାଇଲଟ ଚିନ୍ତିତ ଥିଲେ।
ଏହା ପରେ ସେଠାରେ ଥିବା ଗାଁ ଲୋକମାନେ ହେଲିକପ୍ଟରକୁ ଠେଲିଠେଲି କ୍ଷେତରୁ ଉଠାଇ ଆଣି ରାସ୍ତା ଉପରେ ରଖି ଦେଇଥିଲେ ।
ସୂଚନା ଅନୁସାରେ, ଗୟା ଆର୍ମି କ୍ୟାଣ୍ଟ୍ ଏଆରପୋର୍ଟରେ ସବୁଦିନ ଟ୍ରେନିଂ ପାଇଁ ହେଲିକପ୍ଟର ଉଡାଣ ଭରିଥାଏ। ଶୁକ୍ରବାର ସକାଳେ ବି ହେଲିକପ୍ଟରଟି ତାଲିମ ପାଇଁ ଉଡାଣ ଭରିଥିଲା। କିନ୍ତୁ କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ଏକ ବିଲରେ ପଡିଥିଲା। ଏହା ଦେଖି ଆଖପାଖ ଗ୍ରାମର ଲୋକ ସେହି ସ୍ଥାନକୁ ପହଞ୍ଚି ଦୁଇ ଜଣ ପାଇଲଟଙ୍କୁ ଏଆରକ୍ରାଫ୍ଟରୁ ସୁରକ୍ଷିତ ଭାବେ ବାହାର କରିଥିଲେ।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ଘଟଣା ଘଟିବାରର କିଛି ସମୟ ପରେ ପାଞ୍ଚ ଜଣ ଯବାନ ଘଟଣାସ୍ଥଳରେ ପହଞ୍ଚି ପାଇଲଟଦ୍ଵୟଙ୍କୁ ସୁରକ୍ଷିତ ଭାବରେ ନେଇଯାଇଥିଲେ। ଏହା ସହିତ ସେମାନେ ଦୁର୍ଘଟଣାଗସ୍ତ ଏଆରକ୍ରାଫ୍ଟକୁ ଭ୍ୟାନ୍ ଦ୍ଵାରା ଉଠାଇ ନେଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।