ସଂସ୍କାର : ସେରାଇକେଲା ଜିଲ୍ଲାର ଆଦିତ୍ୟପୁର ବାବା ଆଶ୍ରମରେ ରହୁଥିବା ଗୋଟିଏ ପରିବାରର ଲୋକମାନେ ମିର୍ଜାପୁର ବିନ୍ଧିଆଚାଲକୁ ବୁଲିବାକୁ ଯାଇଥିଲେ। କିନ୍ତୁ ଫେରିବା ବେଳେ ପରିବାରର ତିନି ଜଣ ପିଲାଙ୍କ ସମେତ ମୋଟ ୧୧ ଜଣ ଡଙ୍ଗାରେ ଆସୁଥିବା ବେଳେ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ। ସୂଚନା ରହିଛି ଯେ ଡଙ୍ଗାରେ ସମୁଦାୟ ୧୨ ଜଣ ଲୋକ ଥିଲେ ଯେଉଁଥିରେ ୧୧ ଜଣ ଲୋକ ଗୋଟିଏ ପରିବାରର ଥିଲେ। ଆଉ ଅନ୍ୟ ଜଣେ ଲୋକ ନାଉରିଆ। ତେବେ ନାଉରିଆ ବଂଚିଯାଇଥିବା ବେଳେ ବାକି ୧୧ ଜଣଙ୍କର ନଦୀରେ ବୁଡିଯିବା କାରଣରୁ ମୃତ୍ୟୁ ହୋଇଯାଇଛି।

ଅନ୍ୟପଟେ ଏହି ୧୧ ଜଣଙ୍କ ମୃତ ଦେହ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ୫ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ପୋଲିସ୍ ଏବଂ ସ୍ଥାନୀୟ ବାସିନ୍ଦା ଏବେ ସେ ୫ ଜଣ ଲୋକଙ୍କୁ ଖୋଜୁଛନ୍ତି। ସୂଚନାଯୋଗ୍ୟ ଯେ, ଗତ ବୁଧବାର ଅପରାହ୍ନରେ ମିର୍ଜାପୁର ଜିଲ୍ଲାର ବିନ୍ଧିଆଚାଲ ଅଖରା ଘାଟରେ ଗାଙ୍ଗା ପାର୍ଶ୍ୱରେ ଡଙ୍ଗାଟି ଗଙ୍ଗାରେ ଓଲଟି ପଡିଥିଲା। ଏହି କାରଣରୁ ଡ଼ଙ୍ଗାରେ ଥିବା ନାବିକଙ୍କ ସମେତ ୧୨ ଜଣ ଲୋକ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ। ଡଙ୍ଗା ବୁଡ଼ିଯିବା ପରେ ଗଙ୍ଗା କୂଳରେ ଉପସ୍ଥିତ ଥିବା ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ତେବେ ନାବିକ ନିଜର ଜୀବନ ବଞ୍ଚାଇ ପାରିଥିବା ବେଳେ ବାକି ସମସ୍ତ ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।