ରହସ୍ୟମୟ ରୋଗ ‘ଏଲୁରୁ’ : ଜଣଙ୍କର ମୃତ୍ୟୁ ଏବଂ ୬୦୦ରୁ ଅଧିକ ଜଣ ଅସୁସ୍ଥ, ମୁଖ୍ୟମନ୍ତ୍ରୀ ଚିନ୍ତାରେ

ଆନ୍ଧ୍ରପ୍ରଦେଶରେ ସାମ୍ନାକୁ ଆସିଛି ଏକ ରହସ୍ୟମୟ ରୋଗ । ଏହି ଅଜଣା ରୋଗରେ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୬୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ଏହାସହିତ ବିଭିନ୍ନ ବିଶେଷଜ୍ଞ ଗୋଷ୍ଠୀ ଏହି ରୋଗରେ ପୀଡ଼ିତ ଲୋକଙ୍କ ଖାଦ୍ୟ ଉପରେ କରାଯାଇଥିବା ବିଶ୍ଳେଷଣରେ ପୀଡ଼ିତଙ୍କ ଖାଦ୍ୟରେ ଅନେକ ଅସ୍ୱାଭାବିକତା ଦେଖିବାକୁ ପାଇଛନ୍ତି ।

ଏହି ରିପୋର୍ଟକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ଶୁକ୍ରବାର ଦିନ ଅମ୍ରାବତୀରେ ଡାକ୍ତରୀ ବିଶେଷଜ୍ଞଙ୍କ ସହିତ ଏକ ଭିଡ଼ିଓ କନଫରେନ୍ସ କରିଛନ୍ତି । ଏହି ଅଜଣା ଓ ରହସ୍ୟମୟ ରୋଗ ଏଲୁରୁରେ ଅସୁସ୍ଥ ହୋଇପଡ଼ିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଡିସେମ୍ବର ୧୦ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଅଛି ।

ଅବଶ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଶୁକ୍ରବାର ଦିନ କେବଳ ୪ ଟି ମାମଲା ରିପୋର୍ଟ ହୋଇଥିଲାବେଳେ ଏଲୁରୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୧୩ ହୋଇଯାଇଛି । ଏମାନଙ୍କ ମଧ୍ୟରୁ ୧୩ ଜଣ ରୋଗୀଙ୍କର ଚିକିତ୍ସା ଚାଲିଥିଲା ବେଳେ ଅବଶିଷ୍ଟଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ତେବେ ଏଯାବତ୍ ଏହି ରହସ୍ୟମୟ ରୋଗର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ଏହି ରହସ୍ୟମୟ ରୋଗ ଏଲୁରୁକୁ ନେଇ ରିପୋର୍ଟ କହୁଛି :

  • AIIMS ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଯେତେବେଳେ ପୀଡ଼ିତଙ୍କ ରକ୍ତ ନମୁନା ନେଇ ପରୀକ୍ଷା କଲେ ସେମାନଙ୍କୁ ସେଥିରେ ସୀସା ଏବଂ ନିକେଲ୍ ମିଳିଲା, କିନ୍ତୁ ସେମାନେ ପାଣିରେ କିଛି ପାଇଲେନି ।
  • ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ ପନିପରିବାରେ କୀଟନାଶକ ଏବଂ ହର୍ବିସାଇଡ଼ ଅବଶେଷ ଏବଂ ଚାଉଳରେ ସୀସା ପାଇଛନ୍ତି । ରକ୍ତରେ ଅର୍ଗାନୋଫୋସଫରର ଅବଶିଷ୍ଟାଂଶ ମଧ୍ୟ ମିଳିଥିଲା, କିନ୍ତୁ ତାହା କିପରି ମଣିଷ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହେଲା ଏହାକୁ ନେଇ ଅଧ୍ୟୟନ କରାଯିବା ଉଚିତ ବୋଲି କହିଥିଲେ ।
  • ଆନ୍ଧ୍ରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିଚାଳିତ ପରିବେଶର ଗୁଣବତ୍ତା ଏବଂ ଜଳର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଜଳରେ ଭାରୀ ଧାତୁର ଉପସ୍ଥିତି ନାହିଁ ।
  • ଏହାର ବିଶ୍ଳେଷଣରେ କ୍ଷୀରରେ କୌଣସି ଭାରୀ ଧାତୁ ମିଳିଲା ନାହିଁ।
  • ପ୍ରାଥମିକ ଅନୁସନ୍ଧାନରୁ ଜଳ ପ୍ରଦୂଷଣକୁ ଏଡ଼ାଇ ଦିଆଯାଇଥିବାବେଳେ ପାନୀୟ ଜଳର ନମୁନା ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞମାନଙ୍କୁ କହିଛନ୍ତି ।
  • କୋଭିଡ଼-୧୯ ସ୍ୱଚ୍ଛତା କାର୍ଯ୍ୟକ୍ରମରେ କ୍ଲୋରିନ ଏବଂ ବ୍ଲିଚିଂ ପାଉଡ଼ରର ଅତ୍ୟଧିକ ବ୍ୟବହାର ବିଷାକ୍ତତା ସୃଷ୍ଟି କରିଛି କି ନାହିଁ ତାହା ମଧ୍ୟ ବିଶେଷଜ୍ଞମାନେ ଅନୁସନ୍ଧାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *