ନିକଟରେ ପାକିସ୍ତାନରୁ ଭାରତକୁ ଚାଲି ଆସିଥିବା ମହିଳା ସୀମା ହାଇଦରକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରେମ ପାଇଁ ଭାରତରୁ ପାକିସ୍ଥାନକୁ ଚାଲିଯାଇଛନ୍ତି ବିବାହିତ ମହିଳା ଅଞ୍ଜୁ ପ୍ରସାଦ। ଏହି ଘଟଣା ଏବେ ବେଶ୍ ଚର୍ଚ୍ଚାରେ ରହିଛି…
ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କ ଜନ୍ମ ଉତ୍ତରପ୍ରଦେଶର ବଲିୟା ଜିଲ୍ଲାର କାଇଲୋର ଗାଁରେ । ଏବେ ସେ ରାଜସ୍ଥାନର ଅଲୌୱାର ଜିଲ୍ଲାରେ ରହୁଥିଲେ । ଅଞ୍ଜୁ ବିବାହିତା ହୋଇଥିବା ବେଳେ ଦୁଇଟି ପିଲାର ମା’।
ରାଜସ୍ଥାନ ଅଲୌୱାରରୁ ପାକିସ୍ତାନ ଖାଇବର ପଖତୁନୱା ଅଚଂଳର ଦିର ଜିଲ୍ଲାରେ ଯାଇ ପହଞ୍ଚିଛନ୍ତି ଅଞ୍ଜୁ ପ୍ରସାଦ । ସୋସିଆଲ ମିଡିଆରେ ଅଂଜୁ ପ୍ରସାଦଙ୍କ ସହ ପାକିସ୍ତାନର ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩୪ ବର୍ଷୀୟ ଅଂଜୁ ପାକିସ୍ତାନର ୨୯ ବର୍ଷୀୟ ନସରୁଲ୍ଲାଙ୍କୁ ଭଲ ପାଇ ବସିଥିଲେ । ଆଉ ପ୍ରେମ ପାଇଁ ସେ ଭାରତ ସୀମା ଡେଇଁବା ପାଇଁ ନିଷ୍ପତ୍ତି ନେଇଥିଲେ ।
ନିଜ ଜୀବନରେ କେବେ ବି ଏକୁଟିଆ କୁଆଡ଼େ ଯାଇ ନ ଥିବା ଅଞ୍ଜୁଙ୍କ ପାକିସ୍ତାନ ଯିବା ଘଟଣାକୁ ତାଙ୍କ ପରିବାର ଲୋକେ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି। ସେପଟେ ଅଞ୍ଜୁଙ୍କ ପାକିସ୍ତାନୀ ପ୍ରେମିକ ନସରୁଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଛନ୍ତି । ନସରୁଲ୍ଲାଙ୍କୁ ଭେଟିବାକୁ ଅଞ୍ଜୁ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଭିସା ପାଇଁ ଆବେଦନ କରିଥିଲେ । ଦୀର୍ଘ ୩ ବର୍ଷ ପରେ ଅଂଜୁଙ୍କୁ ପାକିସ୍ତାନ ଯାତ୍ରା କରିବାକୁ ଭିସା ମିଳିଥିଲା । ଘଟଣା ପ୍ରକଟ ହେବା ପରେ ପାକିସ୍ତାନ ପୋଲିସ ଅଂଜୁକୁ ପଚରାଉଚରା କରିଥିଲା ।ତେବେ ଅଂଜୁ ନିୟମ ମୁତାବକ ଭିସା ଆବେଦନ କରି ପାକିସ୍ତାନ ଗସ୍ତରେ ଆସିଛନ୍ତି ବୋଲି ପାକ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖବର ପ୍ରଚାର ହେବା ପରେ ରାଜସ୍ଥାନ ପୋଲିସ ଅଲୱରରେ ଥିବା ଅଂଜୁଙ୍କ ଘରେ ଯାଇ ପହଞ୍ଚିଛି । ଗୁରୁବାର ଦିନ ଜୟପୁର ଯିବାକୁ କହି ଅଂଜୁ ଚାଲିଯାଇଥିବା କହିଛନ୍ତି ତାଙ୍କ ସ୍ୱାମୀ ଅରବିନ୍ଦ।