ଏହି ଖବର ପଢିବା ପରେ ଆପଣ ବି ଜାଣିପାରିବେ ଯେ ବିମାନ ଯାତ୍ରା ସମୟରେ ମାସ୍କ ଲଗାଇବା କେତେ ଗୁରୁତ୍ୱପୂର୍ଣ୍ଣ । ତେବେ ନେଦରଲ୍ୟାଣ୍ଡର ରାଜଧାନୀ ଆମଷ୍ଟରଡାମ୍ରୁ ସ୍ପେନର ଆଇବିଜା ଦ୍ୱୀପକୁ KML ବିମାନ ଉଡ଼ାଣ ଭରୁଥିଲା ବେଳେ ମାସ୍କକୁ ନେଇ ସୃଷ୍ଟି ହୋଇଥିଲା ଘୋର ଅସନ୍ତୋଷ ।
ଘଟଣାଟି ଏହିପରି । ବିମାନରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିଲେ । ଅନ୍ୟ ଯାତ୍ରୀମାନେ ତାଙ୍କୁ କରୋନା ଭାଇରସର ସଚେତନତା ଦେଖାଇ ଧମକପୂର୍ଣ୍ଣ ମାସ୍କ ପିନ୍ଧିବାକୁ କହିଲେ ମାତ୍ର ସେ ସଫା ସଫା ମନା କରିଦେଇଥିଲେ । ଠିକ ଏଇଠୁ ବିଗିଡ଼ିବାକୁ ଲାଗିଲା ପରିସ୍ଥିତି । ବିମାନଟି କିଛି ସମୟ ପାଇଁ ପରିଣତ ହେଲା ଏକ ମଇଦାନରେ ।
ଅଭିଯୁକ୍ତର ବନ୍ଧୁ ମଧ୍ୟ ମାସ୍କ ପିନ୍ଧି ନଥିଲେ । ଉଭୟ ବାକି ଯାତ୍ରୀମାନଙ୍କ ସହିତ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଜାରି ରଖିଥିଲେ । ଯେତେବେଳେ ପାଇଲଟ ପାଖରେ ଏ ଖବର ପହଞ୍ଚିଲା ସେ ଅଭିଯୁକ୍ତଙ୍କୁ ମାସ୍କ ଲଗାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ଉଭୟ ଜିଦ୍ ଧରିଥିଲେ ମାସ୍କ ନଲଗେଇବାକୁ । ଏହାପରେ ବିମାନରେ ଉପସ୍ଥିତ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିବାକୁ ଲାଗିଲା ଓ ସେମାନେ ଦୁହିଁଙ୍କୁ ଜୋରରେ ପିଟିଲେ । ହଜାର ହଜାର ଫୁଟ ଉଚ୍ଚରେ ଉଡୁଥିବା ବିମାନ ବିଶୃଙ୍ଖଳା ସୃଷ୍ଟି ହେଲା ।
ମାସ୍କ ନପିନ୍ଧିବାକୁ ଜିଦ୍ କରିଥିବା ଉଭୟ ଅଭିଯୁକ୍ତଙ୍କୁ ଯଦିଓ ଶୀଘ୍ର ନିୟନ୍ତ୍ରଣକୁ ନିଆଯାଇଥିଲା ଏବଂ ବିମାନ ଲ୍ୟାଣ୍ଡ୍ କରିବା ମାତ୍ରେ ଉଭୟଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି KML ଏୟାରଲାଇନ୍ସ ମଧ୍ୟ ସେମାନଙ୍କ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ସୂଚନା ଅନୁଯାୟୀ, ଉପରୋକ୍ତ ଉଭୟ ଯାତ୍ରୀ ବିମାନରେ ଚଢିବାର କିଛି ସମୟ ପରେ ମାସ୍କ ବାହାର କରିଦେଇଥିଲେ । କୁହାଯାଉଛି ଯେ ଉଭୟ ଯାତ୍ରୀ ଇଂଲଣ୍ଡର ଏବଂ ସେମାନେ ବହୁତ ମଦ୍ୟପାନ କରିଥିଲେ ।
ଗତ ଶୁକ୍ରବାର ଦିନର ଏହି ଘଟଣାଟିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛି ଲୋକଙ୍କ କହିବାନୁଯାୟୀ ଏମିତି କାହାକୁ ମାରପିଟ କରିହେବନି । ଅନ୍ୟ କିଛି ବାକି ଯାତ୍ରୀଙ୍କ ମାସ୍କ ପିନ୍ଧିବା ଶୈଳୀ ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ଜୋ ନାମକ ଜଣେ ୟୁଜର ଲେଖିଛନ୍ତି ଯେ ବିମାନରେ ଥିବା ଅନେକ ଯାତ୍ରୀ ସଠିକ୍ ଭାବରେ ମାସ୍କ ପିନ୍ଧି ନଥିଲେ, ମାସ୍କ ପିନ୍ଧିବା ଆଉ ନପିନ୍ଧିବା ସମାନ ଦିଶୁଚି । ସେମାନଙ୍କୁ ଜରିମାନା ମଗାଯାଇଥିଲା କି ?
କିନ୍ତୁ KLM କହିବାନୁଯାୟୀ ଉଭୟ ଯୁବକ ମଦ୍ୟପାନ କରିଥିଲେ ଏବଂ ବାରମ୍ବାର କହିଲା ପରେ ମଧ୍ୟ ମାସ୍କ ପିନ୍ଧି ନଥିଲେ । ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ବିରୋଧ କରିବା ପରେ ସେମାନେ ମାରପିଟ ଆରମ୍ଭ କରି ଦେଇଥିଲେ । ତେଣୁ ଘଟଣା ସମ୍ପର୍କରେ ସ୍ପେନ ପୋଲିସକୁ ସୂଚନା ଦିଆଯାଇଥିଲା ଓ ବିମାନ ଲ୍ୟାଣ୍ଡ୍ କରିବା କ୍ଷଣି ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।