ଦକ୍ଷିଣ କୋରିଆରେ ଫ୍ଲୁ ଟିକା ଲଗାଇଲା ପରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନଙ୍କ କହିବାନୁସାରେ ଏହି ମୃତ୍ୟୁ ବିଗତ କିଛି ସପ୍ତାହ ମଧ୍ୟରେ ଘଟିଛି । ଏହା ପରେ କିନ୍ତୁ ଟିକାକରଣର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଅଧିକାରୀମାନେ କହିଛନ୍ତି ଯେ ଟିକା ଯୋଗୁ ହିଁ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ପର୍ଯ୍ୟାପ୍ତ ତର୍କ ନାହିଁ । କିନ୍ତୁ ମାମଲାର ଯାଞ୍ଚ ଜାରି ରହିଛି ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।
ଦକ୍ଷିଣ କୋରିଆର ସ୍ୱାସ୍ଥ୍ୟମନ୍ତ୍ରୀ କିମ ଗାଙ୍ଗ ଲିପ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷ ବୟସ୍କ ଯୁବକ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଥିଲେ । କିଛି ସପ୍ତାହ ପୂର୍ବରୁ ଦକ୍ଷିଣ କୋରିଆରେ ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ କରାଯାଇଥିଲା । କିନ୍ତୁ ଟିକାକରଣ ପରେ ମୃତ୍ୟୁ ହେବା ନେଇ ଖବରକୁ ସେଠାକାର ଗଣମାଧ୍ୟମରେ ପ୍ରମୁଖ ରୂପେ ପ୍ରକାଶ କରାଯାଇଛି ।

ଗତ ଶୁକ୍ରବାର ଦିନ ଜଣେ ୧୭ ବର୍ଷ ବାଳକର ମୃତ୍ୟୁ ଘଟିଛି ଯିଏ କି ୨ ଦିନ ପୂର୍ବରୁ ଫ୍ଲୁ ଟିକା ନେଇଥିଲେ । ଏହାସହିତ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପାନକ୍ରିୟାଜ ସମ୍ପର୍କିତ ତଥା ଅନ୍ୟାନ୍ୟ ରୋଗ ଥିଲା । ଟିକା ଆରମ୍ଭ ହେବାର ଗୋଟିଏ ଦିନ ପରେ, ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା ।
ସୂଚନାଯୋଗ୍ୟ ଯେ କରୋନାକୁ ନେଇ ଅନେକ ଦେଶରେ ଫ୍ଲୁ’କୁ ନେଇ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମମାନ ପ୍ରଭାବିତ ହେଉଛି । ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ଵାସ କରନ୍ତି ଯେ କରୋନା ବ୍ୟତୀତ ଫ୍ଲୁ ମଧ୍ୟ ଦେଶ ପାଇଁ ଏକ ବଡ଼ ବିପଦ । ଏହାସହିତ ଦକ୍ଷିଣ କୋରିଆର ଅଧିକାରୀମାନେ କହିଥିଲେ ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଫ୍ଲୁ ଟିକା ଦାବି କରାଯାଇଛି ଯଦ୍ଵାରା ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିବ ।
ଦକ୍ଷିଣ କୋରିଆ କହିବାନୁଯାୟୀ ଅକ୍ଟୋବରରୁ ଫ୍ଲୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୮୩ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ଜଣ ଲୋକଙ୍କ ଠାରେ ପାର୍ଶ୍ଵପ୍ରତିକ୍ରିୟା ଦେଖିବାକୁ ମିଳିଛି ।