ସଂସ୍କାର : କରୋନା ଭାଇରସ୍ ର ତାଣ୍ଡବ ପୁଣି ଥରେ ଚୀନର ଉହାନ୍ ସହରରେ ଦେଖାଦେଇଛି। ସେହି ଉହାନ୍ ସହର ଯେଉଁଠାରୁ ଆରମ୍ଭ ହୋଇଥିଲା କରୋନାର କରାଳ ରୂପ। ୨୦୨୦ ମସିହା ଜୁନ୍ ମାସ ପରେ ପ୍ରଥମ ଥର ପାଇଁ ଚାଇନାର ଉହାନ୍ ସହରରେ ନୂତନ କରୋନା ମାମଲା ଦେଖିବାକୁ ମିଳିଛି। ଯାହାକି ଚାଇନା ସରକାରଙ୍କ ନିଦ ହଜାଇ ଦେଇଛି।
କରୋନାର ମାମଲା ଆସିବା ପରେ ସଙ୍ଗେ ସଙ୍ଗେ ସରକାର ଘୋଷଣା କରିଛନ୍ତି ଯେ ଉହାନ ସହରର ସମସ୍ତ ୧ କୋଟି ୧୫ ଲକ୍ଷ ଲୋକଙ୍କର କରୋନା ପରୀକ୍ଷା କରାଯିବ। ଏହା ସହିତ ଉହାନରେ ସ୍କୁଲ, କୋଚିଂ ସେଣ୍ଟର ଏବଂ କିଛି ମେଟ୍ରୋ ଷ୍ଟେସନ ବର୍ତ୍ତମାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
ଅଧିକାରୀଙ୍କ କହିବାନୁସାରେ, ଗତ ସୋମବାର ଦିନ ଉହାନରେ ୭ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେଥିପାଇଁ ପ୍ରଶାସନ ତତ୍ପରତା ସହ ସତର୍କତା ଅବଲମ୍ବନ କରୁଛି। ଗତ ସପ୍ତାହରେ ଚାଇନାରେ ୨୭୬ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଗତ ୫ ଦିନରେ ମୋଟ୍ ୨୦ ଜଣ ନୂଆ କରୋନା ରୋଗୀ ଉହାନରେ ଚିହ୍ନଟ ହୋଇଛନ୍ତି। ଯାହାକି ଚୀନ୍ ଗଣମାଧ୍ୟମର ରିପୋର୍ଟ କହୁଛି।