‘ଛାଡ଼ଖାଇ’ ପାଇଁ ଗୋଟିଏ ଛେଳିକୁ ୭୦ ଲକ୍ଷ ଟଙ୍କା ଦେବାକୁ ରାଜି ହେଲେ ଜଣେ ଗ୍ରାହକ : ଛେଳି ମାଲିକ କହିଲେ ଦେଢ଼ କୋଟି କମ୍ ହେଲେ ବିକିବିନି

କରୋନା କଟକଣା କୋହଳ ଏବଂ ଲକଡାଉନ ନିୟମାବଳୀରେ ଢିଲା ହେବାପରେ ଦେଶ ସାରା ଅନେକ ବ୍ୟବସାୟ ପରି ପଶୁ ମାଂସ ବ୍ୟବସାୟ ମଧ୍ୟ ତାର ଆସର ଜମେଇଲା । ହେଲେ ଗୋଟିଏ ଛେଳିର ଦାମ୍‌ ୭୦ ଲକ୍ଷ ଟଙ୍କାରୁ ଦେଢ଼ କୋଟି ଟଙ୍କା ଭିତରେ ଲଗାଯାଉଛି ଶୁଣିଲେ ଯେକେହି ଅବିଶ୍ଵାସ କରିବ । ମାତ୍ର କଥାଟି ସତ ଏବଂ ଘଟଣାଟି ଘଟିଛି ପଶ୍ଚିମ ମହାରାଷ୍ଟ୍ରରେ ।

‘ମୁମ୍ବାଇ ମିରର୍‌’ ଖବରକାଗଜରେ ପ୍ରକାଶିତ ଏକ ଖବର ମୁତାବକ ଗୋଟିଏ ଛେଳିର ନାଁ ତା’ ମାଲିକ ରଖିଥିଲେ ‘ମୋଦି’ । ପଶୁ ବ୍ୟବସାୟ ପାଇଁ ପ୍ରସିଦ୍ଧ ମାର୍କେଟ ପଶ୍ଚିମ ମହାରାଷ୍ଟ୍ରର ଅଟପଡ଼ି ମାର୍କେଟରେ ସେହି ଛେଳିଟିକୁ କିଣିବାକୁ ଜଣେ ଗ୍ରାହକ ୭୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ଛେଳିର ମାଲିକ ଦେଢ଼ କୋଟି ଟଙ୍କାରୁ କମରେ ବିକିବ ନାହିଁ ବୋଲି ସଫା ସଫା କହିଦେଲା ।

ଆଜି ଛାଡ଼ଖାଇ ଅବସରରେ ଶହ ଶହ ପଶୁ ମାଲିକ ନିଜ ପଶୁଙ୍କୁ ନେଇ ଅଟପଡ଼ି ମାର୍କେଟକୁ ଆସନ୍ତି ଯେଉଁଠି ଜଣେ ‘ମୋଦି’ ନାଁ ଦେଇଥିବା ଗୋଟେ ଛେଳି ବିକିବାକୁ ଆଣିଥିଲେ । ତାକୁ କିଣିବାକୁ ଲାଗିଲା ଗ୍ରାହକମାନଙ୍କ ଲମ୍ବା ଲାଇନ୍‌ । ବାବୁରାଓ ମେଟକାରୀ ନାମକ ଛେଳି ମାଲିକ ଛେଳିର ଦାମ୍‌ ୭୦ ଲକ୍ଷରେ ପହଞ୍ଚିଲା ପରେ ବି ସେହି ଦାମରେ ଛେଳି ବିକିବାକୁ ସେ ମନା କରିଦେଇଥିଲେ ।

ତେବେ କେତେକ ଗ୍ରାହକ ତାଙ୍କୁ ସେହି ଦାମରେ ‘ମୋଦି’ ନାମକ ଛେଳିଟିକୁ ବିକିବାକୁ ଅନୁରୋଧ କରିଥିଲେ ହେଁ ବାବୁରାଓ ସ୍ପଷ୍ଟ କହିଥିଲେ ଯେ ସେ ଦେଢ଼ କୋଟି ଟଙ୍କା ତଳକୁ ସେହି ଛେଳିଟିକୁ କୌଣସି ମୂଲ୍ୟରେ ବିକିବେ ନାହିଁ ।

Leave a Reply

Your email address will not be published. Required fields are marked *