କରୋନା ମହାମାରୀ କାରଣରୁ ସ୍କୁଲଗୁଡ଼ିକ ବନ୍ଦ ଥିବାବେଳେ ପିଲାଙ୍କ ପାଇଁ ଥିବା ମଧ୍ୟାହ୍ନ ଭୋଜନ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି । ମାତ୍ର ମହାରାଷ୍ଟ୍ରର ପୁଣେରେ ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅପ୍ରୀତିକର ଘଟଣା । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲକୁ ଆସିଥିବା ମଧ୍ୟାହ୍ନ ଭୋଜନ ବସ୍ତାରେ ଦେଖିବାକୁ ମିଳିଛି ପଶୁ ଖାଦ୍ୟ ।
ପୁଣେ ମ୍ୟୁନିସିପାଲ ଅଧିନରେ ଥିବା ସ୍କୁଲ ନଂ-୫୮କୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ବଦଳରେ ଗୋଖାଦ୍ୟ ବୋଝେଇ ବସ୍ତା ଆସିଥିବା ଘଟଣା ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଫୁଡ୍ ଆଣ୍ଡ୍ ଡ୍ରଗ୍ସ ଆଡମିନିଷ୍ଟେ୍ରସନ୍ (FDA) ଅଧିକାରୀ ଏବଂ ଜବତ କରିଛି ସମସ୍ତ ଗୋ-ଖାଦ୍ୟ ବସ୍ତା ।
ସରକାର ଦ୍ଵାରା ଚାଳିତ “ମିଡ୍ ଡେ ମିଲ” ଯୋଜନାରେ ଏପରି ଅପ୍ରୀତିକର ପରିସ୍ଥିତିକୁ ନେଇ ପୁଣେର ମେୟର ମୁରଲୀଧର ଘୋର ନିନ୍ଦା କରିଛନ୍ତି । ଟ୍ଵିଟ୍ କରି ସୋସିଆଲ ମିଡ଼ିଆରେ ସେ କହିଛନ୍ତି ଯେ “ମିଡ୍ ଡେ ମିଲ”ରେ ପିଲାଙ୍କୁ ପଶୁମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଦେବା ନିହାତି ଭାବେ ଅମାନବୀୟ । ଏହି ଘଟଣାର ତଦନ୍ତ ଆବଶ୍ୟକ ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ।