ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ଅଭାବନୀୟ ମାମଲା ରୁଜୁ ହୋଇଛି ଯେଉଁଥିରେ ଗୋଟିଏ ପରିବାରର ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତଙ୍କ ମଧ୍ୟରେ ନବବିବାହିତ କନ୍ୟା ବି ସାମିଲ । ସମସ୍ତ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଛି । ୧୦ ଦିନ ପୂର୍ବରୁ ବର-କନ୍ୟା ଉଭୟ ବିବାହ କରିଥିଲେ ଏବଂ ଡିସେମ୍ବର ୪ ତାରିଖରେ ବରର ମୃତ୍ୟୁ ହୋଇଯାଇଛି ।
ରିପୋର୍ଟ ଅନୁସାରେ ବରକୁ ଜ୍ୱର ହେବା ସହିତ ଶ୍ଵାସକ୍ରିୟାରେ ସମସ୍ୟା ଉପୁଜିଥିଲା ଓ ଡିସେମ୍ବର ୪ ତାରିଖରେ ସେ ମୃତ୍ୟୁବରଣ କରିଥିଲେ । ମାତ୍ର ତାଙ୍କର କରୋନା ଟେଷ୍ଟ କରାଯାଇ ନଥିଲା । ଏହାପରେ ସନ୍ଦେହ ହେବାରୁ ପରିବାର ଲୋକେ ସମସ୍ତେ କରୋନା ଟେଷ୍ଟ କରାଇଲେ ଏବଂ ୯ ଜଣ ସଂକ୍ରମିତ ବୋଲି ଜଣାପଡ଼ିଲା ।

ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ନୀତା କୁଲଶ୍ରେଷ୍ଟା କହିଛନ୍ତି ଯେ ଯୁବକ ଜଣକ ନଭେମ୍ବର ୨୫ ତାରିଖରେ ବିବାହ କରିଥିଲେ । ବିବାହର ତୁରନ୍ତ ପରେ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ଡିସେମ୍ବର ୪ ରେ ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ଟେଷ୍ଟରେ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଯୁବକଙ୍କ ଶାଶୂ ଅର୍ଥାତ୍ କନ୍ୟାର ମାଆ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି । ସମସ୍ତେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପକ୍ଷରେ ଗାଁର ଅନ୍ୟ ଲୋକଙ୍କର ମଧ୍ୟ କରୋନା ଟେଷ୍ଟ ହେବ ଯେଉଁଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗାଁରେ ଏକ ମେଡ଼ିକାଲ କ୍ୟାମ୍ପ ଲଗାଯାଇଛି । ଏଠାରେ ବିବାହରେ ଯୋଗ ଦେଇଥିବା ସମସ୍ତ ଗ୍ରାମବାସୀଙ୍କର କରୋନା ଟେଷ୍ଟ ହେବ । ଡକ୍ଟର ନୀତା କୁଲଶ୍ରେଷ୍ଟା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧାଜିଲ୍ଲାରେ ୩,୬୭୩ ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଜିଲ୍ଲାରେ ୧୭୧ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।