କରୋନାର ଦ୍ଵିତୀୟ ତରଙ୍ଗ ଭୟାବହ ରୂପ ଧାରଣ କରିଛି । ଦେଶର ଚାରିଆଡ଼େ ହାହାକାର । ତେବେ ଏହା ଭିତରେ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହା ଜାଣିଲା ପରେ ଆପଣ କଣ ପ୍ରତିକ୍ରିୟା କରିବେ ତାହା କହିବା ମୁସ୍କିଲ । ରାଜସ୍ଥାନର ଡଙ୍ଗରପୁରରେ ଜଣେ ମହିଳା କନଷ୍ଟେବଳଙ୍କୁ ଛୁଟି ନମିଳିବାରୁ ତାଙ୍କ ହଳଦୀ ସମାରୋହ ଥାନାରେ ଅନୁଷ୍ଠିତ ହୋଇଯାଇଛି ।
ଶୁଣିବାକୁ ସାମାନ୍ୟ ଅଜବ ଲାଗୁଥିଲେ ବି ଏହା ଘଟିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ମହିଳା କନଷ୍ଟେବଳ ଜଣକ ଡୁଙ୍ଗରପୁର ଥାନାରେ କାର୍ଯ୍ୟରତ । କରୋନାର ହୁହୁ ହେଇ ବଢୁଥିବା ମାମଲାକୁ ନଜରରେ ରଖି ତାଙ୍କୁ ତାଙ୍କ ବିବାହ ପାଇଁ ଛୁଟି ମିଳି ନଥିଲା ।
ତେଣୁ ସେ ଡ୍ୟୁଟିରେ ଥାଇ ବି ନିଜର ହଳଦୀ ରସମ୍ ପାଳନ କଲେ । ଗଣମାଧ୍ୟମ ANI ଜାରି କରିଥିବା ଫଟୋଗୁଡ଼ିକ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ ଏହି ହଳଦୀ ସମାରୋହରେ ସାମିଲ ହୋଇଥିବା ମହିଳାମାନେ ବି ପୋଲିସ କର୍ମଚାରୀ ।