ଏଲିୟନ୍ଙ୍କୁ ନେଇ ଅନେକବାର ବୈଜ୍ଞାନିକମାନେ ନିଜ ନିଜର ମତ ରଖିଛନ୍ତି । ସେମାନଙ୍କୁ ନେଇ ନାନା ତଥ୍ୟ ପ୍ରଦାନ କରିଛନ୍ତି ଯାହା ଇଣ୍ଟର୍ନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଇଣ୍ଟର୍ନେଟ୍ରେ ଏଲିୟନ୍ଙ୍କୁ ନେଇ ଏକାଧିକ ବ୍ଲଗ୍, ଫୋରମ୍ ଏବଂ ୱେବ୍ସାଇଟ୍ମାନ ରହିଛି ଯେଉଁଠି ସେମାନଙ୍କ ଅସ୍ତିତ୍ଵ ତଥା ଆମ ଭୂପୃଷ୍ଠକୁ ତାଙ୍କର ପରିଦର୍ଶନକୁ ନେଇ ଦାବି କରାଯାଇଛି । ମାତ୍ର ବର୍ତ୍ତମାନ ଶିକ୍ଷା କ୍ଷେତ୍ରର ଜଣେ ଅତି ଜଣାଶୁଣା ଚେହେରା ଏନେଇ ଦାବି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି ।
ମିଳିଥିବା ଖବର ଅନୁସାରେ ଇସ୍ରାଏଲ-ଆମେରିକୀୟ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ ତଥା ହାର୍ଭାଡ ପ୍ରଫେସର ଫିଆ ବ୍ରାହମ୍ ‘ଅଭି’ ଲୋଏବ୍ ଏକ ବଡ଼ ଦାବି କରିଛନ୍ତି । ତାଙ୍କ କହିବାନୁଯାୟୀ ଏଲିୟନ୍ଙ୍କ ଏକ ଯାନ ୨୦୧୭ ମସିହାରେ ଆମ ପୃଥିବୀ ପୃଷ୍ଠକୁ ଆସିଥିଲା । ସେତେବେଳେ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଏହାକୁ ପୁରା ଅଣଦେଖା କରିଥିଲେ ।

ପ୍ରଫେସର ଲୋଏବ୍ ଇଭି ଲିଗ୍ କଲେଜରେ ଦୀର୍ଘକାଳ ଧରି କାର୍ଯ୍ୟରତ ଲୋଏବ ଷ୍ଟିଫେନ୍ ହକିଂଙ୍କ ସହିତ ମିଶି ମଧ୍ୟ କାର୍ଯ୍ୟ କରିଛନ୍ତି । ନିଜର ନୂଆ ପୁସ୍ତକ “ଏକ୍ସଟ୍ରାଟେରେଷ୍ଟ୍ରିଆଲ : ଦ ଫାର୍ଷ୍ଟ ସାଇନ୍ଅଫ୍ ଇଣ୍ଟେଲିଜେଣ୍ଟ ଲାଇଫ୍ ବିୟୋଣ୍ଡ”ରେ ସେ ଲେଖିଛନ୍ତି ଯେ ୫ ବର୍ଷ ପୂର୍ବେ ଏକ ଅସାଧାରଣ ଆନ୍ତବ୍ରହ୍ମାଣ୍ଡୀୟ ବସ୍ତୁ ଆମ ସୌରମଣ୍ଡଳ ମଧ୍ୟ ଦେଇ ଦ୍ରୁତ ବେଗରେ ଗତି କରୁଥିବା ଚିହ୍ନଟ କରାଯାଇଥିଲା । ସମସ୍ତ ବୈଜ୍ଞାନିକ ସମୁଦାୟର ସାଥୀମାନେ ତାକୁ ଏକ “ଗ୍ରହାଣୁ” ବୋଲି କହି ଅଣଦେଖା କରିଦେଇଥିଲେ । ମାତ୍ର ତାହା ଥିଲା ଏଲିୟନ୍ ଟେକ୍ନୋଲୋଜି, ଯାହାର ନାମକରଣ ‘ଓଉମୁଆମୁଆ’ ବୋଲି ପ୍ରଫେସର କରିଛନ୍ତି ।
ମଣିଷ ସତ୍ତାକୁ ନେଇ ପ୍ରଫେସର ଆଗକୁ କହିଛନ୍ତି ଯେ ଆମେ ନିଜକୁ ସ୍ୱତନ୍ତ୍ର ଏବଂ ନିଆରା ମନେକରିବା କେବଳ ମୁର୍ଖତାର ପରିଚୟ ମାତ୍ର । ବାସ୍ତବରେ ଆମ ସୌରମଣ୍ଡଳ ବାହାରେ ମଧ୍ୟ ରହିଛି ଅନେକ ସଂସ୍କୃତି ଯାହାର ଅନ୍ୱେଷଣ ହେବା ଉଚିତ୍ ।
ସୂଚନାଥାଉ ଯେ ୨୦୧୭ ମସିହାରେ ଆମ ସୌରମଣ୍ଡଳ ଦେଇ ଦ୍ରୁତ ଗତିରେ ଯାଉଥିବା ଶିଳା ଖଣ୍ଡ କୌଣସି ସାଧାରଣ ଗ୍ରହାଣୁ ନଥିଲା । ଯେତେବେଳେ ତାହା ସୂର୍ଯ୍ୟ ଚାରିପାଖେ ଘୂରିଲା ତା’ର ବେଗ ଆହୁରି ବଢ଼ି ଯାଇଥିଲା । ଏକ ରହସ୍ୟମୟ ଶକ୍ତି ଦ୍ୱାରା ପରିଚାଳିତ ଏହି ବସ୍ତୁ ଶେଷରେ ନିଜ କକ୍ଷ ପଥରୁ ବିଚ୍ୟୁତ ହୋଇଯାଇଥିଲା । ଟେଲିସ୍କୋପ୍ ଦ୍ଵାରା ଦେଖିଲେ ସ୍ପଷ୍ଟ ଦିଶୁଥିଲା କିପରି ଉକ୍ତ ବସ୍ତୁର ଆଲୋକ ବାରମ୍ବାର ଉଜ୍ଜ୍ୱଳ ଓ ଧୀମା ହେଉଥିଲା । ବେଳେବେଳେ ଏକ ଉଜ୍ଜ୍ୱଳଧାତୁ ଭଳି ଅସାଧାରଣ ଭାବେ ଚିକ୍ମିକ୍ କରୁଥିଲା । ତେବେ ଏମିତି ପୂର୍ବରୁ କେବେ ମଧ୍ୟ ଦୃଶ୍ୟମାନ ହୋଇନ ଥିଲା ବୋଲି ସେ ଦାବି କରିଛନ୍ତି ।