ସମଗ୍ର ଦକ୍ଷିଣ କୋରିଆରରେ କରୋନାଭାଇରସ ବ୍ୟାପିବା ପାଇଁ ଏହି ମହିଳା ଜଣକ ଦାୟୀ !

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ସରକାରଙ୍କ ତତ୍ପରତା ସତ୍ତ୍ୱେ ସାଧାରଣ ନାଗରିକଙ୍କ ଅବହେଳା ସଂକ୍ରମଣ ବୃଦ୍ଧିରେ ସହାୟକ ହେଉଛି । ଭାରତରେ ମଧ୍ୟ କିଛି ଲୋକଙ୍କ ଅବହେଳା ହେତୁ କରୋନାଭାଇରସ ସଂକ୍ରମଣର ବିପଦ ବେଶୀ ବଢିଯାଇଛି । ଅବହେଳା କାରଣରୁ ଦକ୍ଷିଣ କୋରିଆରେ ସଂକ୍ରମଣ ବଢିବାର ପ୍ରମାଣ କିନ୍ତୁ ମିଳିସାରିଛି । ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କରୋନାଭାଇରସ ଅନୁସନ୍ଧାନ କରୁକରୁ ଜାଣିବାକୁ ପାଇଲେ କିପରି ଜଣେ ମହିଳାଙ୍କ ଅବହେଳା ହେତୁ ହଜାର ହଜାର ଲୋକ କରୋନାଭାଇରସ ଦ୍ଵାରା ସଂକ୍ରମିତ ହୋଇ ସାରିଛନ୍ତି । କେବଳ ଦକ୍ଷିଣ କୋରିଆରେ ଏପର୍ଯ୍ୟନ୍ତ ୮୧୬୨ ଜଣ ଲୋକ ସଂକ୍ରମିତ ଏବଂ ୭୫ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଜଣେ ସାଧାରଣ ନାଗରିକର ଅବହେଳା ବିପର୍ଯ୍ୟୟର ରୂପ ନେଇଛି । ଦକ୍ଷିଣ କୋରିଆର ଅନୁସନ୍ଧିତ୍ସୁମାନେ ଜାଣିବାକୁ ପାଇଛନ୍ତି ଯେ ଡାୟଗୁ ଅଞ୍ଚଳର ଜଣେ ସ୍ଥାନୀୟ ମହିଳାଙ୍କ ଅବହେଳା ଦେଶର ପ୍ରାୟ ୧୧୬୦ରୁ ଅଧିକ ଲୋକଙ୍କୁ କରୋନାଭାଇରସ ସଂକ୍ରମିତ କରିଦେଇଛି । ଟ୍ରାକିଂ ସମୟରେ ଏହା ଜଣାପଡିଛି ଯେ ୩୧ ନମ୍ବର ରୋଗୀ ସର୍ଦ୍ଦି, ଜ୍ଵର ଆଦିରେ ପୀଡ଼ିତ ଥିବା ବାଆଦେ ଚର୍ଚ୍ଚ, ଡାକ୍ତରଖାନା ଏବଂ ହୋଟେଲ ଆଦି ସର୍ବସାଧାରଣ ସ୍ଥାନକୁ ଯିବା ବନ୍ଦ କରିନଥିଲେ । ରେକର୍ଡ ଅନୁଯାୟୀ, ଏହି ନିର୍ଦ୍ଦିଷ୍ଟ ମହିଳାଙ୍କ କାରଣରୁ ହିଁ ଦକ୍ଷିଣ କୋରିଆର ଅଧିକାଂଶ ଲୋକ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେଲେ ।

ରିପୋର୍ଟ ଅନୁଯାୟୀ, ସଂକ୍ରମିତ ମହିଳା ସକାଳ ପ୍ରାର୍ଥନା ପାଇଁ ଜେନୋଞ୍ଜୀ ଚର୍ଚ୍ଚକୁ ଯାଇଥିଲେ ଏବଂ ବର୍ତ୍ତମାନ ଏହି ଚର୍ଚ୍ଚ ପରିଦର୍ଶନ କରିଥିବା ପ୍ରାୟ ୧୨୦୦ ଲୋକଠାରେ ଫ୍ଲୁର ଲକ୍ଷଣ ମିଳିଛି । ଚର୍ଚ୍ଚକୁ ଆସୁଥିବା ଶତାଧିକ ଲୋକ ମଧ୍ୟ କରୋନାଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି । କେବଳ ଏତିକି ନୁହେଁ, ଦେଶରେ ଉପସ୍ଥିତ ଥିବା ପ୍ରାୟ ୨୪୧୮ଜଣ ଲୋକ ଏହି ଜେନୋଞ୍ଜୀ ଚର୍ଚ୍ଚକୁ ଅତିକମରେ ଥରେ ଆସିଥିଲେ । ମହିଳାଙ୍କର ମଧ୍ୟ ଗୋଟେ ଛୋଟ ଦୁର୍ଘଟଣା ଘଟିଥିଲା, ଯାହା ପରେ ସେ ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୧୯ ଜଣ ବ୍ୟକ୍ତି କରୋନାଭାଇରସ ସଂକ୍ରମିତ ।

ବୈଜ୍ଞାନିକମାନେ କୁହନ୍ତି ଯେ ସମଗ୍ର ବିଶ୍ୱର କରୋନାଭାଇରସ ଦ୍ଵାରା ଆକ୍ରାନ୍ତ । ଏହି ସମୟରେ କୌଣସି ବ୍ୟକ୍ତି ଯଦି କେବଳ ଥଣ୍ଡା, କାଶ, ଜ୍ୱର କିମ୍ବା ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଭଳି କିଛି ଲକ୍ଷଣ ପାଆନ୍ତି, ତେବେ ତୁରନ୍ତ ଡାକ୍ତରଖାନା ଯିବା ଉଚିତ୍ । ଅନେକଥର ଆପଣ ଦେଖା କରୁଥିବା ବ୍ୟକ୍ତିଠାରେ କରୋନାଭାଇରସ ସଂକ୍ରମିତ କୌଣସି ଲକ୍ଷଣ ଦେଖିବାକୁ ନମିଳି ପାରେ । ତଥାପିବି ଆକ୍ରାନ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଚୀନ ସମେତ ୧୪୮ ଟା ଦେଶରେ ପ୍ରାୟ ୧,୬୯,୩୮୭ ଜଣ କରୋନାଭାଇରସ  ସଂକ୍ରମିତ ବୋଲି ଚିହ୍ନଟ ହୋଇ ସାରିଥିବାବେଳେ ଏପର୍ଯ୍ୟନ୍ତ ୬୫୧୩ ଜଣଙ୍କର ମୃତ୍ୟୁ ହୋଇସାରିଛି ।

Leave a Reply

Your email address will not be published. Required fields are marked *