ସାରା ବିଶ୍ଵରେ ଆଜିକାଲି କେବଳ ଗୋଟିଏ ଖବର ପ୍ରମୁଖ ହେଇ ରହୁଛି, ସେଇଟା ହେଲା କରୋନା ସଂକ୍ରମଣ ବିରୋଧରେ ମୁକାବିଲା । ସ୍ଵଚ୍ଛତା, ସାମାଜିକ ଦୂରତା ସହିତ ବାରମ୍ବାର ହାତକୁ ସାନିଟାଇଜ କରିବା ସହିତ ମାସ୍କ ପିନ୍ଧିବା ହିଁ ଏହି କରୋନା ସଂକ୍ରମଣରୁ ରକ୍ଷା ପାଇବାର ଉପାୟ । ଏ ସମୟରେ ତାମିଲନାଡୁରେ ମାସ୍କକୁ ନେଇ ଚାଲିଛି ଗୋଟେ ନୂଆ ଟ୍ରେଣ୍ଡ । ଲୋକମାନେ ସାଧାସିଧା କପଡ଼ା ମାସ୍କ ଅପେକ୍ଷା ପସନ୍ଦ କରୁଛନ୍ତି ସେଥିରେ ତାଙ୍କ ଜନପ୍ରିୟ ଅଭିନେତାମାନଙ୍କର ଫଟୋ ।
ରାଜ୍ୟର ବସ୍ତ୍ର ରପ୍ତାନି ହବ୍ ରୂପେ ଜଣାଶୁଣା ତିରୁପ୍ପୁରର ରପ୍ତାନିକାରୀମାନଙ୍କ କହିବାନୁଯାୟୀ ମାସ୍କଗୁଡ଼ିକୁ ଖାଲି କପଡ଼ା ଗୋଟିଏ କିମ୍ବା ଭିନ୍ନ ରଙ୍ଗ ଦେଇ କରିବା ଅପେକ୍ଷା ଏପରି ସିନେ ତାରକାଙ୍କ ଫଟୋ ଛାପିଲେ ବେପାର ବେଶୀ ବଢୁଛି, ଲୋକେ ପସନ୍ଦ କରୁଛନ୍ତି ।
ପ୍ରାୟ ୨୪ ବର୍ଷ ହେବ ପୋଷାକ ରପ୍ତାନି ବ୍ୟବସାୟ ଆମର । କରୋନା ଯୋଗୁ ଏହି ଲକ୍ଡାଉନ୍ ବ୍ୟବସ୍ଥା । ଏ ସମୟରେ ବଜାରରେ ମାସ୍କର ଚାହିଦା ବଢ଼ିବାରୁ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଆମେ ବି ମାସ୍କ ତିଆରି କଲୁ । ପ୍ରଥମେ ଅଳ୍ପ କେତେକ ସରକାରୀ କର୍ମଚାରୀଙ୍କୁ ଯୋଗାଇ ଥିଲୁ, ପରେ ଏହା ରୀତିମତ ବ୍ୟବସାୟ ପାଲଟିଗଲା ବୋଲି ସେଣ୍ଟିନେଲ୍ କ୍ଲୋଦିଙ୍ଗର ସିଇଓ ଚନ୍ଦ୍ରକୁମାର କହିଛନ୍ତି ।

ଚନ୍ଦ୍ରକୁମାରଙ୍କ କହିବାନୁଯାୟୀ ପ୍ରଥମେ ଆମେ ରାଶି ସଙ୍କେତ ଛାପା ହୋଇଥିବା ମାସ୍କ ତିଆରି କରୁଥିଲୁ । ପରେ ସପ୍ତାହକ ପାଇଁ ୭ ପ୍ରକାର ରଙ୍ଗର ମାସ୍କ ବି ତିଆରି କଲୁ । ଏସବୁ ଖୁବ୍ ଜନ ଆଦୃତ ହେଲା । ହେଲେ ଥରେ ପରୀକ୍ଷାମୂଳକ ଭାବରେ ଚିରସବୁଜ ହାସ୍ୟରସାତ୍ମକ ଅଭିନେତା ବାଡ଼ିବେଲୁ ଏବଂ ଆକ୍ସନ୍ ହିରୋମାନଙ୍କର ଫଟୋ ଛାପି ମାସ୍କଗୁଡ଼ିକୁ ବଜାର ଛାଡ଼ିଲୁ ।
ଏ ପରୀକ୍ଷାମୂଳକ ପଦକ୍ଷେପକୁ କେବଳ ଆଦରର ସହିତ ଆପଣେଇଲେନି ଲୋକେ ବରଂ ଏହାର ଚାହିଦା ବି ବଢାଇଦେଲେ । ସାଦା ମାସ୍କକୁ ୧୦ ଟଙ୍କାରେ ବିକୁ ଥିଲାବେଳେ ଚିତ୍ର ଛାପା ମାସ୍କ ଗୋଟିକୁ ୧୫ ଟଙ୍କାରେ ବିକୁଛୁ । ଏହାଛଡ଼ା ପ୍ରାୟ ୪୫ ଦିନ ହେବ ଆମେ ପିପିଇ ମାସ୍କ ମଧ୍ୟ ତିଆରି କରୁଛୁ ବୋଲି ଚନ୍ଦ୍ରକୁମାର କହିଛନ୍ତି ।