ମହାରାଷ୍ଟ୍ରର ୟାଭତମାଲ ଜିଲ୍ଲାର କାପସିକୋପାରୀ ଗାଁରେ ୧୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳେ ସାନିଟାଇଜର ଡ୍ରପ ଦିଆଯାଇଥିଲା । ଫଳରେ ଶିଶୁମାନଙ୍କର ବାନ୍ତି ହେବା ସହିତ ମୁଣ୍ଡ ବୁଲାଉଛି ବୋଲି ଅଭିଯୋଗ ଆସିଥିଲା । ସୂଚନାଥାଉ ଯେ ସମସ୍ତ ଶିଶୁ ୫ ବର୍ଷରୁ କମ୍ ବୟସର ଥିଲେ । ତେବେ ଅଭିଯୋଗ ପରେ ସମସ୍ତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କଥା ଡାକ୍ତର ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରୁ ସାମ୍ନାକୁ ଆସିଥିବା ଏହି ଅଭାବନୀୟ ଘଟଣା ରବିବାର ଦିନ ଘଟିଥିଲା । ଘଟଣା ପରେ ପୋଲିଓ ଟିମ୍ ନିଜ ଭୁଲ ବୁଝି ପାରିଥିଲେ ଏବଂ ସୋମବାର ଦିନ ଆଉଥରେ ଉକ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେଇଥିଲେ । ଅନ୍ୟପକ୍ଷରେ କିନ୍ତୁ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଭାନବୋରା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର, ସ୍ଥାନୀୟ ଅଙ୍ଗନୱାଡ଼ି କର୍ମଚାରୀ ଏବଂ ଆଶା ଦିଦିଙ୍କ ବିପକ୍ଷରେ ଯାଞ୍ଚ ନିର୍ଦ୍ଦେଶ ଦେଇଛି ।

ସୂଚନାଥାଉ ଯେ ଗତ ରବିବାରଠୁ ସାରା ଦେଶରେ ପୋଲିଓ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମ ଜରିଆରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି । ଭାରତକୁ ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିବା ବେଳେ ବିଗତ ୧୦ ବର୍ଷ ଭିତରେ ଦେଶରେ ଗୋଟିଏ ବି ରୋଗୀ ଚିହ୍ନଟ ହୋଇନାହାନ୍ତି ଏବଂ ଶେଷ ଥର ପାଇଁ ୨୦୧୧ ରେ ଜାନୁଆରୀ ୧୩ ତାରିଖରେ ଜଣେ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଜାନୁଆରୀ ୩୦ ତାରିଖ, ୨୦୨୧ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ରାଷ୍ଟ୍ରୀୟ ପୋଲିଓ ଅଭିଯାନର ଶୁଭାରମ୍ଭ କରିଥିଲେ ।