ଶୁଣିବାକୁ ଅଜବ ଲାଗୁଥିଲେ ବି ଘଟଣାଟି ବାସ୍ତବରେ ଘଟିଛି । ଇଟାଲୀରେ ଡ୍ରଗ୍ସ ମାଫିଆମାନେ ନେପଲସ୍ ସହରର ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ସେମାନେ ଯେପରି ନିଜର ଆମ୍ବୁଲାନ୍ସରେ ସାଇରନ୍ ଓ ଫ୍ଳାସିଂ ଲାଇଟର ବ୍ୟବହାର ନକରିବେ । ଇଟାଲୀର ଲୋକାଲ ଡ୍ରଗ୍ସ ମାଫିଆଙ୍କୁ ସାଇରନ୍ ଓ ଆମ୍ବୁଲାନ୍ସ ଲାଇଟ୍ ଏଥିପାଇଁ ପସନ୍ଦ ନୁହେଁ କାରଣ ସେମାନେ ଏହି ସାଇରନ୍ କାରଣରୁ ବହୁବାର ଦ୍ଵନ୍ଦ୍ଵରେ ପଡ଼ି ଯାଆନ୍ତି । ଭାବନ୍ତି ଏହା ଆଉ ପୋଲିସ ଗାଡ଼ି ନୁହେଁ ତ ? ଏହି କାରଣରୁ ଡ୍ରଗ୍ସ ମାଫିଆଙ୍କ ଗ୍ରାହକମାନେ ମଧ୍ୟ ବହୁବାର ଡରି ଯାଆନ୍ତି ଓ ଏଭଳି ସ୍ଥିତି ପାଇଁ ସେମାନଙ୍କ ବ୍ୟବସାୟରେ କ୍ଷତି ହୁଏ ।
ସୂଚନା ମୁତାବକ ନେପଲସ୍ ସହରର ଏକ ମେଡ଼ିକାଲ ୱାର୍କର ଏମର୍ଜନ୍ସିଂ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଚଳାଇ ଯାଉଥିଲେ ଏବଂ ହେଲଥ୍ ୱାର୍କର ସାଇରନ୍ ବଜାଇ ଯାଉଥିଲେ । କିଛି ସମୟ ପରେ ଦୁଇ ଜଣ ଲୋକ ମଟର ସାଇକେଲରେ ବସି ଏହି ଆମ୍ବୁଲାନ୍ସର ପିଛା କରିଥିଲେ ଓ ଏହାପରେ ତାଙ୍କୁ ମାରିବାକୁ ଧମକ ଦେଇଥିଲେ ।

ତେବେ ଘଟଣାଟି ଏହିପରି । ଯେତେବେଳେ ମେଡିକାଲ ୱାର୍କର ଗାଡ଼ି ଅଟକାଇଥିଲେ ଗ୍ୟାଙ୍ଗର ଜଣେ ସଦସ୍ୟ କହିଥିଲେ ଯେ ତୁମକୁ କ’ଣ ଜଣା ନାହିଁ ଏଠାରେ ସାଇରନ୍ ବଜେଇବା ମନା ? ବନ୍ଦ କର ଏହାକୁ, ନଚେତ୍ ତୁମକୁ ଗୁଳି କରି ମାରିଦେବୁ । ଘଟଣା ପରେ ମେଡିକାଲ ୱାର୍କର ଖୁବ୍ ଡରି ଯାଇଥିଲେ ଏବଂ ଏନେଇ ପୋଲିସକୁ ସୂଚନା ଦେଇଥିଲେ ।
ସେପଟେ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଏହି ମେଡିକାଲ ୱାର୍କର ସହିତ ଝଗଡ଼ା କରିଥିଲେ । କାରଣ ଥିଲା ବିଳମ୍ବ ଯେଉଁ କାରଣରୁ ରୋଗୀଙ୍କୁ ହୃଦଘାତ ହୋଇଥିଲା । ତେବେ ସୂଚନାଥାଉ ଯେ ଗତ ୩ ବର୍ଷ ଧରି ନେପଲସରେ ଏଭଳି ୩୦୦ଟି ମାମଲା ରହିଛି ଯେଉଁଥିରେ କେବଳ ମେଡିକାଲ ୱାର୍କରଙ୍କ ବିରୋଧରେ ହିଂସାକାଣ୍ଡ ମାମଲା ରହିଛି ।