ଆଜିଠାରୁ ଆରମ୍ଭ ହେଲା JEE ଏବଂ NEET ପରୀକ୍ଷା : ସାରା ଦେଶରେ ୫ ଶହରୁ ଉର୍ଦ୍ଧ୍ଵ ପରୀକ୍ଷା କେନ୍ଦ୍ର

ସବୁ ପ୍ରକାର ଦ୍ଵନ୍ଦ୍ଵକୁ ତୁଟାଇ କରୋନା ମହାମାରୀ ସତ୍ତ୍ୱେ ଆଜି ସେପ୍ଟେମ୍ବର ୧ ତାରିଖଠାରୁ ଆରମ୍ଭ ହେଲା JEE ପରୀକ୍ଷା । ଏହା ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ହେବ । ସାରା ଦେଶରେ ଏହି ପରୀକ୍ଷା ପାଇଁ ୬୬୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ବେଳେ ଏହି ପରୀକ୍ଷା ଦେବେ ୯ ଲକ୍ଷ ୫୩ ହଜାର ୪୭୩ ଜଣ ଛାତ୍ରଛାତ୍ରୀ । ତେବେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରୋନାର ସମସ୍ତ କଟକଣା ପାଳନ ହେବ ।

ସାମାଜିକ ଦୂରତା ନିୟମ ପାଇଁ ଗତଥର ଅପେକ୍ଷା ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରଗୁଡ଼ିକର ସଂଖ୍ୟା ବଢ଼ାଇ ଦିଆଯାଇଛି । ଏମିତିକି ପରୀକ୍ଷା ଗୁଡ଼ିକ ଦୁଇଟି ସିଫ୍ଟରେ ହେବ ଏବଂ ପ୍ରତିଟି ସିଫ୍ଟରେ ୮୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଥମ ସିଫ୍ଟ ସକାଳ ୯ ଟାରୁ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ଟା ଯାଏଁ ।

ଯଦି ରାଜ୍ୟ ଓଡ଼ିଶା କଥା କୁହାଯାଏ ତେବେ ରାଜ୍ୟରେ JEE ପରୀକ୍ଷା ପାଇଁ ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ଯେଉଁଠି ୩୮ ହଜାର ୨୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେବଳ ରାଜଧାନୀ ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ରରେ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ଯେତେବେଳେ କି ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ରହିଛି ଅବଶିଷ୍ଟ ୨୦ଟି ପରୀକ୍ଷା କେନ୍ଦ୍ର ।

କରୋନା ଗାଇଡ଼ଲାଇନ ଅନୁସାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ପରୀକ୍ଷାର୍ଥୀମାନେ ଆଡମିଟ୍  କାର୍ଡ ସହିତ ସେଲ୍ଫ ଡିକ୍ଲାରେସନ କାଗଜ, ସରକାରଙ୍କ ଦ୍ଵାରା ପ୍ରଦତ୍ତ ଯେକୌଣସି ପରିଚୟପତ୍ର, ବଲପଏଣ୍ଟ ପେନ, ନିଜସ୍ୱ ପାଣି ବୋତଲ ଓ ହ୍ୟାଣ୍ଡ ସାନିଟାଇଜର ଆଣି ଆସିବେ ।

ପରୀକ୍ଷାର୍ଥୀମାନେ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର, ମୋବାଇଲ ଆଦି ଉପରେ କଟକଣା ଥିବାବେଳେ ଜୋତା, ମୋଜା କିମ୍ବା ଲମ୍ବା ହାତ ଥିବା ସାର୍ଟ ପିନ୍ଧିବେ ନାହିଁ । କୋଭିଡ଼-୧୯ କଟକଣା ଅନୁଯାୟୀ ପ୍ରତ୍ୟେକ ସିଫ୍ଟ ପରେ ପରୀକ୍ଷା କେନ୍ଦ୍ରକୁ ଭଲ ରୂପେ ସାନିଟାଇଜ କରାଯିବ । ଏମିତିକି ଛାତ୍ରଛାତ୍ରୀ ବ୍ୟବହାର କରିବାକୁ ଥିବା ମନିଟର, କି-ବୋର୍ଡ, ମାଉସ୍ , ଡେସ୍କ, ଚେୟାର, ବେଞ୍ଚ, ଡୋର୍ ହାଣ୍ଡେଲ, ଲିଫ୍ଟ ବଟନ ଆଦି ମଧ୍ୟ ସାନିଟାଇଜ ହେବ ବୋଲି ସରକାର ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *