ଆମେରିକାର ଔଷଧ ନିର୍ମାତା କମ୍ପାନୀ ଜନସନ ଆଣ୍ଡ୍ ଜନସନଙ୍କ ପ୍ରସ୍ତୁତ କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଜଣେ ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି । ଏହି ଘଟଣା ପରେ କମ୍ପାନୀର ସମସ୍ତ ଟିକା ପରୀକ୍ଷଣକୁ ଅସ୍ଥାୟୀ ରୂପେ ନିଷେଧ କରାଯାଇଛି । ତେବେ ରିପୋର୍ଟ ଅନୁସାରେ ଏହି କରୋନା ଟିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ଥିଲା ଓ ଉକ୍ତ ଘଟଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମହତ୍ତ୍ଵକାଂକ୍ଷାକୁ ଶକ୍ତ ଧକ୍କା ଦେଇଛି । କାରଣ ସେ ନିର୍ବାଚନ ପୂର୍ବରୁ ହିଁ ଆମେରିକାବାସୀ ପାଖରେ ଟିକା ପହଞ୍ଚିବ ବୋଲି ଦାବି କରିଥିଲେ ।
ବିଶ୍ଵକୁ କରୋନା ଭାଇରସର ଆତଙ୍କ ଓ ବିନାଶରୁ ରକ୍ଷା କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଟିକା ଉପରେ କାର୍ଯ୍ୟ କରୁଛନ୍ତି । ଅବଶ୍ୟ, କ୍ଲିନିକାଲ୍ ପରୀକ୍ଷଣରେ ଆସୁଥିବା ବାଧା ଯୋଗୁଁ ଅନେକ ଥର ଜନସାଧାରଣଙ୍କ ଆଶାକୁ ଝଟକା ଲାଗିଛି ।
ସୋମବାର ବିଳମ୍ବିତ ରାତିରେ ଜନସନ ଆଣ୍ଡ୍ ଜନସନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମେ ଆମର ସମସ୍ତ କୋଭିଡ଼-୧୯ ଟିକା ପ୍ରାର୍ଥୀଙ୍କ କ୍ଲିନିକାଲ ପରୀକ୍ଷାକୁ ଅସ୍ଥାୟୀ ଭାବରେ ବନ୍ଦ କରିଛୁ । ଏହି ନିଷେଧାଦେଶରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଅଧ୍ୟୟନ ସମୟରେ, ହଠାତ୍ ଜଣେ ଅଂଶଗ୍ରହଣକାରୀଙ୍କ ଅସୁସ୍ଥତା ହେତୁ ଏହି ନିଷ୍ପତ୍ତି ନିଆଯାଇଛି । ସ୍ୱେଚ୍ଛାସେବୀମାନଙ୍କ ଠାରେ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଅଧିକ ସୂଚନା ଦେବାକୁ କମ୍ପାନୀ ମନା କରିଦେଇଛନ୍ତି । ଆମେ ଅଂଶଗ୍ରହଣକାରୀଙ୍କ ଗୋପନୀୟତାକୁ ସମ୍ମାନ କରୁ ଏବଂ ସ୍ୱେଚ୍ଛାସେବୀମାନେ ଅସୁସ୍ଥ ହେବାର କାରଣ ଖୋଜୁଛୁ ବୋଲି କହିଛନ୍ତି କମ୍ପାନୀ ଅଧକ୍ଷକ ।
ତେବେ ଗତ ମାସରେ ଏହି କମ୍ପାନୀ କହିଥିଲେ ଯେ ଟିକାକରଣର ପ୍ରାରମ୍ଭ ଏବଂ ମଧ୍ୟଭାଗରେ କ୍ଲିନିକାଲ ପରୀକ୍ଷଣରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଭଲ ଫଳାଫଳ ଦେଖାଯାଇଛି । କମ୍ପାନୀ ଏକ କ୍ଲିନିକାଲ୍ ଟ୍ରାଏଲରେ ୬୦,୦୦୦ ଲୋକଙ୍କୁ ସାମିଲ କରିଥିଲା । ଏହାଛଡ଼ା ଜନସନ ଆଣ୍ଡ୍ ଜନସନ ଚଳିତ ବର୍ଷର ଶେଷ କିମ୍ବା ୨୦୨୧ ବର୍ଷର ପ୍ରାରମ୍ଭ ସୁଦ୍ଧା ଏହି ଟିକା ଗ୍ରହଣ ଯୋଗ୍ୟ ହେବ ବୋଲି ଆଶା କରିଥିଲା ।
ସୂଚନା ଥାଉ ଯେ କିଛି ଦିନ ପୂର୍ବରୁ ବ୍ରିଟେନର ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡର ମିଳିତ ପ୍ରୟାସ ଦ୍ଵାରା ବିକଶିତ କରୋନା ଟିକା ବି ନିଜର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ରଦ୍ଦ କରାଯାଇଥିଲା, ଯାହା ପରେ ଆମେରିକା ଏବଂ ବ୍ରିଟେନରେ ଅନେକ କ୍ଲିନିକାଲ୍ ପରୀକ୍ଷଣକୁ ବନ୍ଦ କରାଯାଇଥିଲା । ସେହି ଟିକା ନେଇଥିବା ବ୍ରିଟେନର ଜଣେ ମହିଳାଙ୍କ ମେରୁଦଣ୍ଡ ଗୁରୁତର ଭାବରେ ଫୁଲି ଯାଇଥିଲା ଏବଂ ସେ ବହୁତ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ସେ ରୋଗୀର ଅବସ୍ଥା ବର୍ତ୍ତମାନ ସୁଧୁରୁଛି ।