ସଂସ୍କାର : ଆଫଗାନିସ୍ତାନରେ ଆରମ୍ଭ ହୋଇସାରିଛି ତାଲିବାନଙ୍କ ଜୋରଜବରଦସ୍ତ ଶାସନ। ଆଉ ଏହି ତାଲିବାନଙ୍କ ଶାସନକୁ ଭୟ କରି ଅନେକ ଆଫଗାନବାସୀ ନିଜ ଦେଶ ଛାଡି ଭିନ୍ନ ଭିନ୍ନ ଦେଶକୁ ପଳାଉଛନ୍ତି। ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡି ବିଦେଶ ଚାଲିଯିବା ପାଇଁ କାବୁଲ ବିମାନବନ୍ଦର ମୁହାଁ ହେଉଛନ୍ତି। କିନ୍ତୁ ଏହାରି ମଧ୍ୟରେ ଆସିଛି ଏକ ଚକିତ କଲା ଭଳି ଖବର। ଆଫଗାନ ନାଗରିକମାନେ ବିଦେଶ ମୁହାଁ ହେଉଥିବାରୁ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ଦୃଢ଼ ପଦକ୍ଷେପ ନେଇଛନ୍ତି।
ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, କାବୁଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବ। କେବଳ ବିଦେଶୀ ନାଗରିକ ବିମାନବନ୍ଦରକୁ ଯାଇପାରିବେ। ବିଦେଶୀ ନାଗରିକ ହିଁ ଆଫଗାନିସ୍ତାନ ଛାଡି ଯାଇପାରିବେ। ଆଫଗାନବାସୀ ଦେଶ ଛାଡି ଯାଇପାରିବେ ନାହିଁ। କୌଣସି ଆଫଗାନୀ ନାଗରିକ କାବୁଲ ବିମାନବନ୍ଦରକୁ ଯାଇପାରିବେ ନାହିଁ ।
ତେବେ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକ ଭିଡ ହେଉଥିବାରୁ ଦଳା ଚକଟା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ତାଲିବାନର ଏଭଳି ପଦକ୍ଷେପ ବିଦେଶକୁ ଚାଲିଯିବା ପାଇଁ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ହତାଶ କରିଛି । ଆଉ ଆଫଗାନିସ୍ତାନର ନାଗରିକ ଭୟ ଭିତରକୁ ପୁଣି ଥରେ ଠେଲି ହୋଇଯାଇଛନ୍ତି ।