ଦେଶ ସାରା କରୋନା ସଂକ୍ରମଣ ହୁହୁ ହେଇ ବଢି ଚାଲିଛି । ଏ ସମୟରେ କେତେଗୁଡ଼ିଏ ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଆରମ୍ଭ ହୋଇଯାଇଥିଲା ବେଳେ ପ୍ରବାସୀମାନେ ଘରବାହୁଡ଼ା ହେଲାଣି । ତେବେ ଏହା ଭିତରେ କେରଳର ଏକ ବସ୍ଷ୍ଟାଣ୍ଡରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ କେରଳର ଅଙ୍ଗାମାଲି ସହରର ଏକ ବସ୍ଷ୍ଟାଣ୍ଡରେ ଭି. ଆଣ୍ଟୋ ନାମକ ଜଣେ ବସ ଡ୍ରାଇଭର, ମାସ୍କ ପିନ୍ଧି ନଥିବାରୁ ଜଣେ ପ୍ରବାସୀ ଶ୍ରମିକଙ୍କୁ ବାଡ଼ି ଧରି ନିର୍ଧୁମ ପିଟିଛନ୍ତି । ତେବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଏହାପରେ ଅଭିଯୁକ୍ତ ବସ୍ ଡ୍ରାଇଭରଙ୍କୁ ସସ୍ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।
ଭିଡ଼ିଓଟିରେ ସ୍ପଷ୍ଟ ଦେଖାଯାଉଛି କିପରି ବୟସ୍କ ପ୍ରବାସୀ ଶ୍ରମିକ ଜଣଙ୍କ ରକ୍ତାକ୍ତ ହୋଇ ପଡ଼ି ରହିଛନ୍ତି । ଘଟଣା ପ୍ରଘଟ ହେବାପରେ କେରଳ ଭିଜିଲାନ୍ସ ସ୍କ୍ବାଡ୍ ଅଭିଯୁକ୍ତ ବସ ଡ୍ରାଇଭରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିବା ମଧ୍ୟ ଜାଣିବାକୁ ମିଳିଛି ।

ତେବେ ଏହି ଘଟଣାଟି ଅପ୍ରେଲ ୨୨ ତାରିଖ ଦିନ ଘଟିଥିଲା ବୋଲି ଜଣାପଡ଼ିଛି । ଜଣେ ପ୍ରବାସୀ ଶ୍ରମିକ ବସିଥିବା ବେଳେ ମାସ୍କ ପିନ୍ଧି ନଥିବାରୁ ଡ୍ରାଇଭର ଜଣକ ଧରିଥିବା ବାଡ଼ିରେ ତାଙ୍କୁ ନିର୍ମମ ଭାବରେ ପିଟୁଥିବା ଦେଖିବାକୁ ମିଳିଥିଲା ଯାହାପରେ ପ୍ରବାସୀଙ୍କ ହାତରୁ ରକ୍ତ ବାହାରିଛି ଏବଂ ସେ ସେଇ ରକ୍ତ ଉପରେ ଶୋଇ ରହିଛନ୍ତି, ଭିଡ଼ିଓରୁ ଦେଖିହେବ ।