ପ୍ରବଳ ବର୍ଷା ହେତୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହୋଇଛି । ଅତ୍ୟଧିକ ବର୍ଷାରେ ହାଇଦ୍ରାବାଦରେ ଏକ ଏକ କାନ୍ଥ ଭୁଶୁଡି ପଡ଼ିବାରୁ ଏକ ଦୁଇ ମାସର ଶିଶୁ ସହିତ ୮ ଜଣଙ୍କର ମୃତ୍ୟୁ ହୋଇଛି ।
ହାଇଦ୍ରାବାଦରେ ଗତ ୨୪ ଘଣ୍ଟା ଭିତରେ ୨୦ ସେମି ବର୍ଷା ହେବା ରେକର୍ଡ଼ ହୋଇଥିବାବେଳେ ଏକ ପ୍ରକାର ପୁରା ସହର ବର୍ଷା ପାଣିରେ ବୁଡ଼ି ଯାଇଛି । ପିଚୁ ରାସ୍ତା ବି ନଦୀ ଭଳି ଭ୍ରମ ସୃଷ୍ଟି କରୁଛି । କେତେକ ଅଞ୍ଚଳରେ ତ ରେସକ୍ୟୁ ଦଳଙ୍କୁ ଡଙ୍ଗା ପକାଇବାକୁ ପଡ଼ିଲାଣି । କେଉଁଠି ଘର ଭିତରେ ବର୍ଷା ପାଣି ପଶିଲାଣି ତ କେଉଁଠି ବାଇକ ଓ କାର ଭାସିଲାଣି । ପାଣିପାଗ ବିଭାଗ ତରଫରୁ ଆଜି ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଛି ।
ଅନେକ ସ୍ଥାନରେ କୋଠା ଭୁଶୁଡ଼ି ପଡ଼ିବାର ଖବର ମିଳୁଛି । ତେବେ ହାଇଦ୍ରାବାଦରେ ଚାନ୍ଦ୍ରାୟଣ ଗୁପ୍ତା ଅଞ୍ଚଳରେ ୫ ଟି ଘରର କାନ୍ଥ ଭୁଶୁଡ଼ିବା କାରଣରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକେ ଆହତ ହୋଇଛନ୍ତି । ମୃତକ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ସାମିଲ ଥିଲାବେଳେ ଉଦ୍ଧାର କାର୍ଯ ଜାରି ରହିଛି ।
ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଉଭୟ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ୧୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ରେଳ ଟ୍ରାକଗୁଡିକ ଅନେକ ସ୍ଥାନରେ ବୁଡ଼ି ଯାଇଛି । ଅନେକ ସହରରେ ବିଦ୍ୟୁତ ଖୁଣ୍ଟଗୁଡ଼ିକ ହୁଗୁଳି ପଡ଼ିବାରୁ ବିଦ୍ୟୁତ ସରବରାହରେ ବ୍ୟାଘାତ ଦେଖାଦେଇଛି ।