ଭୋପାଳ : କରୋନା ଭାଇରସ ଓ ଲକଡାଉନ ମଧ୍ୟରେ ଶ୍ରମିକମାନଙ୍କ ଅବସ୍ଥା ଖରାପରୁ ଅତି ଖରାପ ହେବା ନିତିଦିନ ନଜରକୁ ଆସୁଥିବା ବେଳେ ଶୁଣିବାକୁ ମିଳିଛି ଗୋଟେ ଅବିଶ୍ଵସନୀୟ ଘଟଣା । ଗୋଟିଏ ପଟେ କେଇ ଘଣ୍ଟା ଲେଖାଏଁ ଶ୍ରମିକ ଟ୍ରେନ ପାଇଁ ଅପେକ୍ଷା ତ ପୁଣି ଟ୍ରେନ ଭିତରେ ଭୋକ, ଶୋଷରେ ବସି ରହିବା ଓ ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଜଣେ ମଦ ବେପାରୀ ନିଜ ପରିବାରର ୪ ଜଣ ସଦସ୍ୟ ପାଇଁ ପୁରା ବିମାନକୁ ଭଡ଼ାରେ ନେବା ।
ସୂଚନା ଅନୁଯାୟୀ ବିମାନ ବୁକ କରିଥିବା ବ୍ୟକ୍ତିଙ୍କ ନାମ ଜଗଦୀଶ ଅରୋରା ଓ ବୁକ କରାଯାଇଥିବା ପ୍ରାଇଭେଟ କ୍ୟାରିୟରର A320 ବିମାନଟି ୧୮୦ ସିଟ ବିଶିଷ୍ଟ ଥିଲା । ତାଙ୍କ ପତ୍ନୀ, ଝିଅ, ତାଙ୍କର ଦୁଇଟି ନାତିଙ୍କୁ ନେଇ ବିମାନଟି ୨୭ ମଇକୁ ଦିଲ୍ଲୀରୁ ଭୋପାଳ ଆସିଥିଲେ । ସକାଳ ୯:୩୦ ଟାରେ ଏହି ବିମାନ ଦିଲ୍ଲୀ ଛାଡ଼ିଥିଲା ଓ ୧୦:୩୦ ଟାରେ ଭୋପାଳରେ ପହଞ୍ଚିଥିଲା ।
ଯଦିଓ ପ୍ରାରମ୍ଭିକ ସମୟରେ ଜଗଦୀଶ ବିମାନ ବୁକିଂ କରିଥିବା କଥାକୁ ଖାରଜ କରିଦେଇଥିଲେ କିନ୍ତୁ ପରେ କହିଥିଲେ ଯେ ତାହା ତାଙ୍କ ବ୍ୟକ୍ତିଗତ ବେପାର କାହିଁକି ମୁଣ୍ଡ ପୁରାଉଛନ୍ତି ବୋଲି ଓଲଟି କହିଥିଲେ । ସିଭିଲ ଏଭିଏସନ ମିନିଷ୍ଟ୍ରି ସୂତ୍ର ଅନୁସାରେ ୬ କିମ୍ବା ୮ ସିଟ ବିଶିଷ୍ଟ ଚାପ୍ଟର ବିମାନ ବି ଉପଲବ୍ଧ ଥିଲା କିନ୍ତୁ ମଦ ବେପାରୀ ଏୟାର ବସକୁ ହିଁ ଚୟନ କରିଥିଲେ ।
ସୂଚନା ଥାଉ କି ବ୍ୟବହାର କରାଯାଇଥିବା A320 ଏୟାର ବସକୁ ୧ ଘଣ୍ଟା ପାଇଁ ଭଡ଼ାରେ ନେଲେ ପ୍ରାୟ ୫ରୁ ୬ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ । ହେଲେ ଏହାର ଦାମ ଟରବାଇନ ଇନ୍ଧନର ମୂଲ୍ୟ ଉପରେ ନିର୍ଭର କରେ । କିନ୍ତୁ କିଛି ଦିନ ତଳେ ଏହି ଟରବାଇନ ଇନ୍ଧନର ମୂଲ୍ୟ କମିଯାଇଥିଲା ଓ ଯଦି ଚଳିତ ସମୟରେ ଏହାର ମୂଲ୍ୟ ଦେଖିବାକୁ ପଡେ ତେବେ ଜଗଦୀଶଙ୍କୁ ମାତ୍ର ୪ ଜଣ ପରିବାର ସଦସ୍ୟଙ୍କୁ ଦିଲ୍ଲୀରୁ ଭୋପାଳ ଆଣିବାକୁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବେ ।