ନୂଆଦିଲ୍ଲୀ : ସବୁ ରାଜ୍ୟରେ ମଇ ୪ ରୁ ମଦ ଦୋକାନ ଖୋଲିଛି ଓ ସେଥିଯୋଗୁ ଜମିଛି ଭିଡ଼ । ୪୦ ଦିନ ପରେ ଖୋଲା ହୋଇଥିବା ମଦ ଦୋକାନରୁ ରାଜ୍ୟ ସରକାରଙ୍କ ଆୟ ବହୁଳ ପରିମାଣରେ ବଢିଛି । କେତେକ ରାଜ୍ୟରେ ତ ମଦ ବିକ୍ରିରେ ରେକର୍ଡ କରିଛି । ସେପରି ରାଜ୍ୟଗୁଡ଼ିକ ଭିତରେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଅନ୍ତର୍ଭୁକ୍ତ ।
ରିପୋର୍ଟ ଅନୁଯାୟୀ ମାତ୍ର ଗୋଟିଏ ଦିନରେ କର୍ଣ୍ଣାଟକ ସରକାର ମଦ୍ୟପାନରୁ ୪୫ କୋଟି ଟଙ୍କା ରୋଜଗାର କରିଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର ୪୦ କୋଟି ଟଙ୍କା ଆୟ କରିଛି । ଦିଲ୍ଲୀରେ ମଧ୍ୟ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଏ ସମୟରେ ମହାରାଷ୍ଟ୍ର ଏକ୍ସାଇଜ୍ ବିଭାଗ କେବଳ ମଇ ମାସରେ ମଦ ବିକ୍ରୟରୁ ପ୍ରାୟ ୨୦୦୦ କୋଟି ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛି । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସରକାର ମଦ ବିକ୍ରୟରୁ ଦୈନିକ ୮୦ ରୁ ୧୦୦ କୋଟି ଟଙ୍କା ରୋଜଗାର କରିବେ ।
ଦିଲ୍ଲୀରେ ଯେତେବେଳେ ୪୦ ଦିନ ପରେ ପ୍ରଥମେ ମଦ ଦୋକାନ ଖୋଲିଲା, ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଗଲେ । ଦିଲ୍ଲୀରେ ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି । ୭୦ ପ୍ରତିଶତ ଅଧିକା ଟ୍ୟାକ୍ସ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ରାଜ୍ୟ ସରକାର ଆଶା କରୁଛନ୍ତି ଯେ ଏହି ପଦକ୍ଷେପ ପରେ ଦୋକାନରେ ଭିଡ଼ କମ୍ ହେବା ସହିତ ଏଥିରୁ ରୋଜଗାର ଟଙ୍କା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଇପାରିବ ।
ଲକଡାଉନ ପୂର୍ବରୁ ପ୍ରତ୍ୟେକ ରାଜ୍ୟ ମଦ ବିକ୍ରୟରୁ ଦୈନିକ ୭୦୦ କୋଟି ଟଙ୍କା ରୋଜଗାର କରୁଥିଲେ । ଇଣ୍ଟରନ୍ୟାସନାଲ ସ୍ପିରିଟ୍ ଆଣ୍ଡ ୱାଇନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଅମୃତ କିରଣ ସିଂହ କହିଛନ୍ତି ଯେ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ସମସ୍ତ ରାଜ୍ୟର ବାର୍ଷିକ ଆୟ ୨.୪୮ ଲକ୍ଷ କୋଟି ଟଙ୍କା ହୋଇଛି ।