ସଂସ୍କାର : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଆସୁଛି ଗୋଟିଏ ପରେ ଗୋଟିଏ ଭାଇରାଲ୍ ଭିଡ଼ିଓ। କେତେବେଳେ ଯୁବତୀ , ଯୁବକଙ୍କ ଉପରେ ଭାରି ପଡୁଥିବାର ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ, ଅନ୍ୟ କେତେବେଳେ ଯୁବକ , ଯୁବତୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍ ହେଉଛି। ଏମିତି ହିଁ ଗୋଟିଏ ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଥାଉ ଯେ, ଗତ ଅଗଷ୍ଟ ମାସରେ ବାରବୀରୱା ଛକ ଠାରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ଚାପୁଡ଼ା ମାରିଥିଲେ ଜଣେ ସାଇକୋ ଯୁବତୀ। ସେହିଭଳି ଲକ୍ଷ୍ନୌର ପଲିଟେକ୍ନିକ୍ ଛକ ନିକଟରେ ଜଣେ ମହିଳା ଅଟୋ ଡ୍ରାଇଭରକୁ ଚପଲରେ ପିଟିବା ଘଟଣା ସମ୍ପର୍କରେ ମଧ୍ୟ ଆପଣ ଜାଣିଥିବେ। ତେବେ ଏହାରି ମଧ୍ୟରେ ଏକ ମାଡ଼ ମାରିବା ଭିଡ଼ିଓ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଚାରବାଗ ମେଟ୍ରୋ ଷ୍ଟେସନ ତଳେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ଚାପୁଡ଼ା ଓ ଗୋଇଠା ଦ୍ୱାରା ମାଡ ମାରୁଛନ୍ତି। ଏଥି ସହିତ, ପାଖରେ ଠିଆ ହୋଇ ଏହି ମନୋରମ ଦୃଶ୍ୟର ମଜା ନେଉଛନ୍ତି ଅନେକ ଲୋକ। ଅନେକ ଲୋକ ଯୁବତୀ ଜଣକ ମାଡ଼ ଖାଉଥିବାର ଭିଡ଼ିଓକୁ ନିଜର ମୋବାଇଲରେ କଏଦ୍ କରିଥିଲେ। ଅନ୍ୟପଟେ ଯୁବତୀ ଜଣକ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ ଜାରି ରଖିଥିଲା କିନ୍ତୁ ଏହାରି ମଧ୍ୟରେ ଯୁବକ ଜଣକ ତାଙ୍କୁ ମାଡ ମାରୁଥିଲା। ଭିଡିଓ ଭାଇରାଲ ହେବା ମାତ୍ରେ ନାକା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଡକାଇଥିଲା।
ଭାଇରାଲ ଭିଡିଓରେ ଯୁବକ ଜଣକ ନାବାଳିକାଙ୍କୁ ଚାପୁଡ଼ା ଓ ଗୋଇଠା ମାରୁଥିବାର ଦେଖିବାକୁ ମିଳୁଛି। ଯୁବତୀ ଜଣକ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛି ଯେ ହେ ଭାଇ, ମତେ ବଞ୍ଚାଅ। କିନ୍ତୁ କେହି ବି ଶୁଣୁନାହାନ୍ତି। ମହିଳା, ପୁରୁଷ, ମେଟ୍ରୋ ଗାର୍ଡ ଏବଂ ଅନ୍ୟ ଲୋକମାନେ ଛିଡା ହୋଇ ନିଜର ମନୋରଞ୍ଜନ କରୁଥିଲେ। ଆଉ ନିଜର ମୋବାଇଲ କ୍ୟାମେରାରେ ସେହି ଘଟଣାର ଭିଡିଓ ପ୍ରସ୍ତୁତ କରୁଥିଲେ। ଏହି ଘଟଣା ଉପରେ ବହୁ ଜନସମାଗମ ହୋଇଥିଲା, କିନ୍ତୁ କିଛି ଲୋକ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଆକ୍ରମଣକାରୀ ଯୁବକଙ୍କ କବଳରୁ ଯୁବତୀଙ୍କୁ ଉଦ୍ଧାର କରିବାକୁ କେହି ସାହସ କରି ପାରିନଥିଲେ।
ତେବେ ଏହି ଘଟଣା ବାବଦରେ ଇନ୍ସପେକ୍ଟର ନାକା ମନୋଜ ମିଶ୍ର କହିଛନ୍ତି ଯେ ଭାଇରାଲ ଭିଡିଓରେ ଘଟିଥିବା ଘଟଣା ଗତ ସୋମବାର ସନ୍ଧ୍ୟାର। ଭିଡିଓ ଆଧାରରେ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚରା କରାଯାଉଛି। ଗିରଫ ଯୁବକ ହେଉଛନ୍ତି ପାଣ୍ଡାରିବାର ବାସିନ୍ଦା ଉଜୱାଲ ହାଣ୍ଡା। ତେବେ ଯୁବକ ଜଣକ ପୋଲିସକୁ ନିଜ ବୟାନରେ କହିଛନ୍ତି ଯେ, ସେ ମେଟ୍ରୋ ଷ୍ଟେସନ ତଳେ ଯାଉଥିବା ସମୟରେ ଏହି ଯୁବତୀ ଜଣକ ମୁହଁରେ କପଡା ବାନ୍ଧି ତାଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିଲେ। ତେଣୁ ଯୁବକ ଜଣକ ନିଜ ଉପରେ ହେଇଥିବା ଅପବ୍ୟବହାରକୁ ସହ୍ୟ କରି ନ ପାରି ଯୁବତୀଙ୍କୁ ମାଡ ମାରିଥିଲେ।