ମଧ୍ୟପ୍ରଦେଶର ସିଧି ଜିଲ୍ଲାର ରାମପୁର ନୌକିନ୍ ଥାନା ଅଞ୍ଚଳରେ ଆଜି ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଯାଇଛି । ଏକ ଯାତ୍ରୀବାହୀ ବସ ବ୍ରିଜରୁ କେନାଲକୁ ଖସି ପଡ଼ିଛି ଯେଉଁଥିରେ ୪୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ୭ ଜଣ ଲୋକ ପହଁରି କେନାରୁ ବାହାରି ଆସି ନିଜ ଜୀବନ ବଞ୍ଚେଇଛନ୍ତି । ସିଧି ଜିଲ୍ଲାରୁ ପ୍ରାୟ ୬ ଟା ବେଳେ ବାହାରିଥିବା ଏହି ବସରେ କେହି ପରୀକ୍ଷା ଦେବାକୁ ଯାଉଥିଲେ ତ କେହି ନିଜ ଘରକୁ ଫେରୁଥିଲେ । ତେବେ ଏ ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ବୋଲି ପ୍ରମାଣିତ ହେଲା ।
ସତନା ଜିଲ୍ଲା ମୁଖ୍ୟାଳୟରେ ରେଲୱେ ଏବଂ ନର୍ସିଂ ସମ୍ବନ୍ଧୀୟ ପରୀକ୍ଷା ଦେବାକୁ ଅନେକ ଛାତ୍ରଛାତ୍ରୀ ଏହି ବସରେ ଯାଉଥିଲେ । କୁହାଯାଉଛି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଅଛନ୍ତି । ରାସ୍ତାରେ ଥିବା ଏକ ଘାଟି ଠାରେ ଭିଡ଼ ଥିବାରୁ ବସ ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ କେନାଲ ପାଖ ଦେଇ ଯାଉଥିଲା । ପୁଣି ଆଉ ଏକ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ଭାରସାମ୍ୟ ହରାଇ କେନାଲରେ ଓଲଟି ପଡ଼ିଲା । ତେବେ ଏହି ଦୁର୍ଘଟଣାଟି ସକାଳ ୭-୮ଟା ମଧ୍ୟରେ ଘଟିଛି ।
ଦୁର୍ଘଟଣା ସମୟରେ ଅତି କମରେ ୩୦ ଫୁଟ ଚଉଡ଼ା କେନାଲରେ ପ୍ରାୟ ୨୦ ଫୁଟ ଉଚ୍ଚରେ ପାଣି ଚାଲିଥିଲା । ଖବର ପାଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ତତକ୍ଷଣାତ୍ ପ୍ରଶାସନ ସକ୍ରିୟ ହୋଇଥିଲା । ବନସାଗର ଡ୍ୟାମ ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କରିଯିବା ସହିତ କ୍ରେନକୁ ବି ଡକା ଯାଇଥିଲା ।

କୁହାଯାଉଛି ଯେ ବସଟି କେନାଲର ଡାହାଣ ପାର୍ଶ୍ୱ ଦେଇ ଯାଉଥିଲା ବେଳେ ଅନିୟନ୍ତ୍ରିତ ହୋଇ କେନାଲ ପାଣିରେ ପଡ଼ିବାକୁ ମାତ୍ର କିଛି ସେକେଣ୍ଡ ସମୟ ଲାଗିଥିଲା । ଯାତ୍ରୀମାନଙ୍କୁ ନିଜକୁ ସମ୍ଭାଳିବାକୁ କିମ୍ବା ଡେଇଁବାର ସୁଯୋଗ ନଥିଲା । ଖବର ଅନୁଯାୟୀ, ବସରେ ୩୨ ଜଣ ଲୋକ ବସିବାର କ୍ଷମତା ରହିଥିଲାବେଳେ ଯାଉଥିଲେ ୫୦ ରୁ ଅଧିକ ଯାତ୍ରୀ ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହିତ ଟ୍ଵିଟ୍ କରି କହିଛନ୍ତି ଯେ ସିଧିଙ୍କ ଦୁର୍ଭାଗ୍ୟଜନକ ଘଟଣାରେ ମୁଁ ପ୍ରଶାସନ ଏବଂ ରିଲିଫ୍ କାର୍ଯ୍ୟରେ ଜଡ଼ିତ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି । ମନ ବହୁତ ବ୍ୟଥିତ । ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲା ମାଜିଷ୍ଟ୍ରେଟ, କମିଶନର, ଇନ୍ସପେକ୍ଟର ଜେନେରାଲ, ପୋଲିସ ଅଧୀକ୍ଷକ ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଅନ୍ୟପକ୍ଷରେ ୪୨ ଜଣ ଯାତ୍ରୀଙ୍କ ମୃତ୍ୟୁରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଠିବା ବେଳେ ସେମାନଙ୍କ ଆଶ୍ରୀତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏମିତିକି ଆଜି ଏଠାରେ ଆୟୋଜିତ ହେବାକୁ ଥିବା ‘ଗ୍ରୀହା ପ୍ରଭାସମ୍’ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜି ମଧ୍ୟପ୍ରଦେଶର ପ୍ରଧାନ ମନ୍ତ୍ର ଆୱାସ ଯୋଜନା (ଗ୍ରାମୀଣ) ଅଧୀନରେ ନିର୍ମିତ ୧ ଲକ୍ଷ ନୂତନ ଗୃହରେ ୧ ଲକ୍ଷ ନୂତନ ହିତାଧିକାରୀଙ୍କ ଘର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।