ଦେଶରେ ଆଉ ଗୋଟେ ରାଜ୍ୟ ହେଲା କରୋନା ମୁକ୍ତ, ଏକମାତ୍ର ସଂକ୍ରମିତ ବ୍ୟକ୍ତି ମଧ୍ୟ ସୁସ୍ଥ ହେଲେ

ମିଜୋରାମ ଏକ କରୋନାଭାଇରସ ମୁକ୍ତ ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ଏକମାତ୍ର କରୋନା ପଜିଟିଭ ରୋଗୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଅନୁଯାୟୀ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମଣିପୁର, ସିକ୍କିମ୍, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ପରି ବର୍ତ୍ତମାନ ମିଜୋରାମ ମଧ୍ୟ କରୋନା ମୁକ୍ତ ରାଜ୍ୟରେ ପରିଣତ ହୋଇଛି ।

ଗତକାଲି ଶନିବାର ଦିନ ମିଜୋରାମ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଆର ଲାଲଥାଙ୍ଗଲିୟାନା କହିଛନ୍ତି ଯେ ରାଜ୍ୟର ଏକମାତ୍ର କରୋନା ପଜିଟିଭ ବ୍ୟକ୍ତି ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ୪୫ ଦିନ ଧରି ଚିକିତ୍ସା ପରେ ଉକ୍ତ ବ୍ୟକ୍ତିଙ୍କୁ ଶନିବାର ଅପରାହ୍ନରେ ଜୋରମ ମେଡିକାଲ କଲେଜ (JMC) ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ଡିସଚାର୍ଜ କରିବା ପୂର୍ବରୁ କ୍ରମାଗତ ଭାବରେ ୪ ଥର ପରୀକ୍ଷା କରାଯାଇଥିଲା ଓ ସମସ୍ତ ପରୀକ୍ଷାରେ ରିପୋର୍ଟ ନେଗେଟିଭ ଆସିଥିଲା । ତା’ପରେ ଯାଇ ରୋଗୀକୁ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ୫୦ ବର୍ଷ ବୟସ୍କ ପାଦ୍ରୀ ଯିଏ ମିଜୋରାମର ବାପ୍ଟିଷ୍ଟ ଚର୍ଚ୍ଚ ଅଧୀନରେ କାର୍ଯ୍ୟରତ ।  

ଉଚ୍ଚଶିକ୍ଷା ପାଇଁ ଆମଷ୍ଟରଡାମ ଯାଇଥିବା ଉକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୧୬ ତାରିଖରେ ମିଜୋରାମକୁ ଫେରିଥିଲେ । ମାର୍ଚ୍ଚ ୨୪ ରେ କରୋନା ପଜିଟିଭ୍ ବୋଲି ଜାଣିବାକୁ ମିଳିଥିଲା ଓ ତୁରନ୍ତ ତାଙ୍କୁ JMC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି କରୋନା ନେଗେଟିଭ ରିପୋର୍ଟ ପରେ ସେ ତାଙ୍କ ପତ୍ନୀ ଓ ପିଲାଙ୍କ ସହିତ ଡିସଚାର୍ଜ ହୋଇଛନ୍ତି ।

ମିଜୋରାମଙ୍କ କରୋନା ମୁକ୍ତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ଏବଂ ରାଜ୍ୟକୁ ଅଭିନନ୍ଦନ ଜଣାଇଛନ୍ତି । ଡିସଚାର୍ଜ ହେବା ପରେ ବି ଉକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ଯାଏଁ ଘର କ୍ୟାଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୪ ଦିନ ପରେ ଆଉଥରେ ପରୀକ୍ଷା ହେବ । ଯେତେବେଳେ ସେ ଡିସଚାର୍ଜ ହେଇ ଘରମୁହାଁ ହେଲେ ଲୋକମାନେ ତାଙ୍କୁ ଧୁମଧାମର ସହିତ ସ୍ଵାଗତ କଲେ ।

Leave a Reply

Your email address will not be published. Required fields are marked *