ସମ୍ପ୍ରତ୍ତି କରୋନା ସଙ୍କଟରେ ଦେଶର କୋଟି କୋଟି ଲୋକ ନିଜର ଚାକିରି ହରାଇଛନ୍ତି ଓ ଜୀବିକା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ କିନ୍ତୁ କେନ୍ଦ୍ର ସରକାର ଏକ ଆଶ୍ୱସ୍ତିଭରା ଖବର ଆଣିଛନ୍ତି । କୋରୋନା ଯୋଗୁ ଯଦି ନିଜର ଚାକିରି ବା ବୃତ୍ତି ହରାଏ ତେବେ ତାଙ୍କୁ ମିଳିବ ବେକାରୀ ଭତ୍ତା (Unemployment Allowance) ।
ତେବେ ସୂଚନା ଅନୁଯାୟୀ ମୋଦି ସରକାରଙ୍କ ଏହି ନୂଆ ଯୋଜନାର ଲାଭ କେବଳ ସେହି ଲୋକଙ୍କୁ ମିଳିବ ଯେଉଁମାନେ ଶ୍ରମିକ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ରେ ନିଜ ନାମ ପଞ୍ଜିକୃତ କରିଥିବେ । ଶ୍ରମିକଙ୍କ ପାଇଁ ହୋଇଥିବା ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନା (Atal Insured Persons Welfare Scheme) ର ସଞ୍ଚାଳନ ଏହି ESIC ଦ୍ୱାରା କରାଯାଇଥାଏ । ତେଣୁ ଏହି ଯୋଜନାକୁ ଏବେ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଯେଉଁଥିରେ ବେକାରୀ ଭତ୍ତା ଉପଲବ୍ଧ ରହିଛି ।
ତେବେ ସର୍ତ୍ତ ଅନୁଯାୟୀ ଯେଉଁ ଶ୍ରମିକମାନେ ଅତି କମରେ ଗତ ୨ ବର୍ଷ ଧରି ESI ଯୋଜନା ସହିତ ଜଡ଼ିତ ଥିବେ କିମ୍ବା ୧ ଅକ୍ଟୋବର ୨୦୧୯ ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ସର୍ବନିମ୍ନ ୭୮ ଦିନର ୱାର୍କିଂ ଡେ କରିଥିବେ ସେମାନେ ହିଁ ଉପଯୁକ୍ତ ହେବେ ଏହି ବେକାରୀ ଭତ୍ତା ପାଇବା ପାଇଁ । କରୋନା କାଳରେ ରୋଜଗାରହୀନ ହୋଇ ପଡ଼ିଥିବା ବ୍ୟକ୍ତିମାନେ ଏହି ଭତ୍ତାର ଲାଭ ସର୍ବାଧିକ ୯୦ ଦିନ ଅର୍ଥାତ୍ ୩ ମାସ ପାଇଁ ନେଇ ପାରିବେ ।
ESIC ଯୋଜନା ଅନୁସାରେ କାରଖାନାରେ ଅନ୍ଯୁନ ୧୦ ଜଣରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ ଉକ୍ତ ଶ୍ରମିକମାନେ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ଯଦି ସେମାନଙ୍କର ଦରମା ୨୧ ହଜାର ପର୍ଯ୍ୟନ୍ତ ଥାଏ ତେବେ ଯାଇ ଏହି ଯୋଜନା ପ୍ରଯୁଜ୍ୟ ହେବ । ସୂଚନାଯୋଗ୍ୟ ଯେ ଦେଶର ପ୍ରାୟ ୩.୫ କୋଟି ପରିବାର ESI ଅଧୀନରେ ଅଛନ୍ତି ଯେଉଁ କାରଣରୁ ପ୍ରାୟ ୧୩.୫ କୋଟି ଲୋକ ନଗଦ ଏବଂ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି ।
ବୋର୍ଡର ନିଷ୍ପତ୍ତି ଅନୁଯାୟୀ କିନ୍ତୁ ଶ୍ରମିକମାନେ ନିଜେ ଏହି ବେକାରୀ ଭତ୍ତା ପାଇଁ ଦାବି କରିପାରିବେ । ବୈଠକର ଏଜେଣ୍ଡା ଅନୁଯାୟୀ ଏହି ଦାବି ସିଧାସଳଖ ESIC ର ଶାଖା କାର୍ଯ୍ୟାଳୟରେ ଦାଖଲ କରାଯାଇପାରିବ ଯାହା କେବଳ ଶାଖା କାର୍ଯ୍ୟାଳୟ ସ୍ତରରେ ନିଯୁକ୍ତିଦାତା ମାଧ୍ୟମରେ ଯାଞ୍ଚ କରାଯିବ । ଏହା ପରେ ଦାବି ପରିମାଣ ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ପଠାଯିବ ।